Unknown

 

 

 

 

 

 

 

 

 

 

କୃଷକ-ସଙ୍ଗୀତ

ସ୍ୱଭାବକବି ଗଂଗାଧର ମେହେର

 

ଉତ୍ସର୍ଗପତ୍ର

 

ପ୍ରଜାହିତୈଷୀ

ଶ୍ରୀଯୁକ୍ତ ରାୟ ଲାଲ ରାଜେନ୍ଦ୍ର ସିଂହ ବରିହା ବାହାଦୂର ବୋଡ଼ାସମ୍ବର ଅଧିଶ୍ୱର ମହୋଦୟ, ମମାନୁକୂଳେଷୁ-

 

ମତିମନ୍ !

ଯେଉଁ ମହୀରୁହର ପୁଷ୍ପ କେହି ଗ୍ରହଣ କରନ୍ତି ନାହିଁ, ତାହା ନିଜେ ମହୀର ଆଶ୍ରୟ ଗ୍ରହଣ କରିଥାଏ । ସେହିପରି ଆପଣଙ୍କର ଉପଦେଶାନୁସାରେ ରଚିତ ଏହି ପୁସ୍ତକ ଅନ୍ୟର ଗ୍ରହଣୀୟ ହୋଇ ନଥିଲେହେଁ ଆପଣଙ୍କର ଉପେକ୍ଷଣୀୟ ହେବ ନାହିଁ ବୋଲି ଭରସାର ସହିତ ଆପଣଙ୍କ କରକମଳରେ ଅର୍ପଣ କଲି ।

 

ଇନ୍ଦୁମତୀ ମହୁଲ ଫୁଲକୁ ବରମାଲ୍ୟରୂପେ ମହାରାଜ କୁମାର ଅଜଙ୍କର ଗଳାରେ ଦେଇ ନଥିଲେ କି ?

 

 

।।ଇତି।।

ତା ୪/୯/୧୯୨୧

ଭବଦୀୟ ଚିରୋପକୃତ

 

ଶ୍ରୀ ଗଙ୍ଗାଧର ମେହେର

 

ଭୂମିକା

 

ଏ ଦେଶର କୃଷକମାନେ ହଳଚାଳନ ସମୟରେ ଗୀତ ଗାଇ ନିଜେ ଆମୋଦ ଲାଭ କରି ବଳଦମାନଙ୍କୁ ଉତ୍ତେଜିତ କରିଥାନ୍ତି । ସେସବୁ ଗୀତର ଅଧିକାଂଶ ଅସଭ୍ୟତାବ୍ୟଞ୍ଜକ ଓ ଅଶ୍ଲୀଳତାରେ ପୂର୍ଣ୍ଣ ଥାଏ । କୃଷକମାନଙ୍କୁ ଉପରକୁ ନଉଠାଇଲେ ସମାଜ ଉନ୍ନତ ହୋଇପାରିବ ନାହିଁ ବୋଲି ବହୁଦର୍ଶୀ ବିଦ୍ୱାନମାନେ କହିଥାନ୍ତି । ସେମାନଙ୍କୁ ସରଳ ସୁଗମ ମାର୍ଗରେ ଉପରକୁ ଉଠାଇବା ନିମନ୍ତେ ତାଙ୍କ ନିଜ ଗୀତରେ ତାଙ୍କୁ ଉତ୍ସାହିତ କରିବା ଗୋଟିଏ ସହଜ ଉପାୟ, ଯଦ୍ୱାରା ସେମାନେ ଗୀତ ଗାଇ ହିତ ଓ ଆମୋଦ ଲାଭ କରିପାରିବେ ଏବଂ ସେମାନଙ୍କ ଅସଭ୍ୟତା କଳଙ୍କ ଦୂର ହେବ । ଏପରି ରଚନାରେ ବୋଡ଼ାସମ୍ବର ଧରାଧୀଶ୍ୱର ରାୟ ବାହାଦୂର ଶ୍ରୀମାନ୍ ଲାଲ ରାଜେନ୍ଦ୍ର ସିଂହ ବରିହା ମହୋଦୟଙ୍କର ସକୌତୂହଳ ଆଗ୍ରହ ଜାତ ହେବାରୁ ତଦୀୟ ଆଦେଶ ଓ ଉପଦେଶାନୁସାରେ କୃଷି ବିଷୟ ଅବଲମ୍ବନ କରି ବିବିଧ ପତ୍ର, ପୁସ୍ତକ ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ଅଭିମତ ସାହାଯ୍ୟରେ ଏହି “କୃଷକ ସଙ୍ଗୀତ” ରଚିତ ହୋଇଅଛି । ସମସ୍ତ ପ୍ରକାର କୃଷିର ନିୟମ ପରିଷ୍କାରରୂପେ ପଦ୍ୟରେ ପ୍ରକାଶ କରିବା ଅତି କଠିନ; ଏହି ହେତୁରୁ ଯଥାସମ୍ଭବ ସ୍ଥୂଳଭାବରେ ଲେଖାଯାଇଅଛି । ଏହାଦ୍ୱାରା ପ୍ରଶଂସିତ ରାୟ ବାହାଦୂର ମହୋଦୟଙ୍କର ଉଦ୍ଦେଶ୍ୟ କଥଞ୍ଚିତ୍‍ ସିଦ୍ଧ ହୋଇପାରିବ ବୋଲି ସର୍ବସାଧାରଣରେ ବିବେଚିତ ହେଲେ ଲେଖକ କୁତାର୍ଥ ହେବ ।

 

ପଦ୍ମପୁର

।।ଇତି।।

ତା-୪/୯/୧୯୨୧

ଲେଖକ

 

ଅନ୍ନର ମହିମା

 

ଧନ୍ୟ ମହାପ୍ରଭୁ ହେ ଆଗେ ସୃଜି ଅନ୍ନ

ତା’ ଉତ୍ତାରେ ସୃଜିଲ ଜୀବଜନ୍ତୁଗଣ

ଅନ୍ନ ବିନା ଜୀବନ ନ ପାରଇ ରହି

ଅନ୍ନ ବିନା ପ୍ରାଣୀଙ୍କ ଜୀବନ ନିରତେ

ହୁଏ ଦହି ହେ ।।

 

ଅନ୍ନ ଘେନି ରହିଛି ଅଖିଳ ସଂସାର

ଅନ୍ନ ବିନା ଜଗତେ ଉଠେ ହାହାକାର

ଅନ୍ନ ଘେନି ପୃଥିବୀ ସ୍ୱରଗ ସମାନ

ଅନ୍ନ ବିନା ପୃଥିବୀ ସତେ ତ ହୁଅନ୍ତା

ଶମଶାନ ହେ ।।

 

ଅନ୍ନ ଘେନି ମାନବ ଗୃହ ସୁଖମୟ

ଅନ୍ନହୀନ ଗୃହଟି ଦୁଃଖର ନିଳୟ

ଅନ୍ନ ଯୋଗେ ହୁଅନ୍ତି ଦାରା ସୁତ ଧନ

ଅନ୍ନ ବିନା ସମସ୍ତେ କରନ୍ତି ଯମକୁ

ଆଲିଙ୍ଗନ ହେ ।।

 

ଅନ୍ନ ଘେନି ପରଜା ଅନ୍ନ ଘେନି ରାଜା

ଅନ୍ନ ଘେନି ବଜାଇ ଆନନ୍ଦର ବାଜା

ଅନ୍ନ ଘେନି ସକଳ ବସନ ଭୂଷଣ

ଅନ୍ନହୀନେ ସକଳେ ପଳାନ୍ତି ଗୃହରୁ

ତତକ୍ଷଣ ହେ ।।

 

ଅନ୍ନ ବଳେ ସୁନ୍ଦର ଉଚ୍ଚ ଅଟ୍ଟାଳିକା

ଅନ୍ନ ଥିଲେ ସୁନ୍ଦର ଫୁଲର ମାଳିକା

ଅନ୍ନ ବଳେ ମାନବ ଶରୀର ସୁନ୍ଦର

ଅନ୍ନହୀନେ ମାନବ ବଦନ କୁତ୍ସିତ

ଭୟଙ୍କର ହେ ।।

 

ଅନ୍ନ ପାଇଁ ମାନବ ବୁଲଇ ଭୁବନେ

ଅନ୍ନ ପାଇଁ ବିହଙ୍ଗ ଉଡ଼ଇ ଗଗନେ

ପଶୁ ଅନ୍ନ ନିମନ୍ତେ ବୁଲେ ବନେ ବନେ

ଅନ୍ନ ବିନା ଜଗତେ କେହି ତ ନ ପାରେ

ରହି କ୍ଷଣେ ହେ ।।

 

ଅନ୍ନ ପାଇଁ ଆନନ୍ଦେ ମୀନ ଖେଳେ ଜଳେ

କୀଟମାନେ ଖେଳନ୍ତି ଆନନ୍ଦେ ଭୂତଳେ

ଅନ୍ନ ପାଇଁ ରହିଛି ନଦୀ ସରୋବର

ରହିଅଛି ସାଗର ସୈକତ ଗହନ

ଗିରିବର ହେ ।।

 

ଅନ୍ନ ପାଇଁ ସଲିଳ ଲୀଳା କରେ ହଂସ

ବୃକ୍ଷେ ଭାଷେ କୋକିଳ ଅନ୍ନ କରି ଧ୍ୱଂସ

ଅନ୍ନ ପାଇଁ ଖେତରେ ଖେଳଇ ଖଞ୍ଜନ

ଯହିଁ ଦେଖ ଆନନ୍ଦ ଆମୋଦ ତହିଁରେ

ଅଛି ଅନ୍ନ ହେ ।।

 

ଅନ୍ନ ଦେବା ନିମନ୍ତେ ରହିଅଛି ଧରା

ଅନ୍ନ ଦେବା ନିମିତ୍ତ ଲାଗୁଅଛି ଖରା

ଅନ୍ନ ଦେବା ନିମନ୍ତେ ମେଘ ବରଷଣ

ଅନ୍ନ ଦେବା ନିମନ୍ତେ ଜଗତେ ବହୁଛି

ସମୀରଣ ହେ ।।

 

ଅନ୍ନ ଦେବା ନିମନ୍ତେ ଚନ୍ଦ୍ର ସୁଧାକର

ଅନ୍ନ ଦେବା ନିମନ୍ତେ ପଡ଼ଇ କାକର

ଅନ୍ନ ଦେବା ନିମନ୍ତେ ରଜନୀ ବାସର

 

 

ଅନ୍ନ ଦେବା ନିମନ୍ତେ ଜଗତେ ଛ’ଋତୁ

ସମ୍ବତ୍ସର ହେ ।।

 

ଯହିଁ ଅନ୍ନ ତହିଁରେ ଲକ୍ଷ୍ମୀଙ୍କ ନିବାସ

ଯହିଁ ଲକ୍ଷ୍ମୀ ତହିଁରେ ବିଷ୍ଣୁଙ୍କ ବିଳାସ

ଯହିଁ ବିଷ୍ଣୁ ତହିଁରେ ସକଳ ମଙ୍ଗଳ

ଅନ୍ନ ବିନା ନା ଲକ୍ଷ୍ମୀ ନା ବିଷ୍ଣୁ କାହିଁ ବା

ଶୁଭଫଳ ହେ ।।

 

ଯାହାକୁ ଯା’ ଅନ୍ନ ସେ ତା’ କରେ ଭକ୍ଷଣ

ଅନ୍ନ ବିନା ନ ହୁଏ ଶରୀରରକ୍ଷଣ

ଅନ୍ନ ଏକା ଅଟଇ ବିଶ୍ୱ ମୂଳାଧାର

ଏକ ବାକ୍ୟେ ସମସ୍ତେ ଗାଅ ହେ ଅନ୍ନର

ଜୟକାର ହେ ।।

 

ଅନ୍ନ ଘେନି ଜ୍ଞାନ ଯେ ଅନ୍ନ ଘେନି ଧ୍ୟାନ

ଅନ୍ନ ଘେନି ମହତ୍ତ୍ୱ ଅନ୍ନ ଘେନି ମାନ

ବିଦ୍ୟା ବୁଦ୍ଧି ଅନ୍ନରେ ଅନ୍ନରେ ବିଜ୍ଞାନ

 

 

 

ଅନ୍ନ ନାହିଁ ଯହିଁରେ ମହୀରେ ସେ ଏକା

ମରୁସ୍ଥାନ ହେ ।।

***

 

କୃଷିର ଗୌରବ

 

କୃଷି ସିନା ସଂସାରେ ସଭ୍ୟତାର ମୂଳ

କୃଷି ଏକା ସକଳ ଜୀବିକାର ଚୂଳ

ଯେଉଁ କାଳେ ମାନବ ନ ଥିଲା ତା’ ଜାଣି

ମାଂସ ଖାଇ ବନରେ, ମନରେ ହୋଇ ନ

ଥିଲା ଜ୍ଞାନୀ ହେ ।।

 

ପିନ୍ଧୁଥିଲା ବୃକ୍ଷର ବକଳ ପତର

ତହୁଁ ହେଲେ ଅଧିକ ଅଜିନ ମାତର

ରହୁଥିଲା କାକର ଶୀତ ବାତ ସହି

ବଞ୍ଚୁଥିଲା କେବଳ ଜଙ୍ଗଲ ଶୁଖିଲା

କାଠ ଦହି ହେ ।।

 

କୃଷି କଲା ନରକୁ ଦିବ୍ୟ ଅନ୍ନ ଦାନ

ଶୀତ ରକ୍ଷା ନିମନ୍ତେ ବସ୍ତ୍ର ଉପାଦାନ

ଅନ୍ନ ପାଇ ମାନବ ତେଜି ପଶୁ-ଦ୍ୱେଷ

ବସ୍ତ୍ର ପିନ୍ଧି ରହିଲା, ବହିଲା ସୁନ୍ଦର

ସଭ୍ୟ ବେଶ ହେ ।।

 

ବୁଲୁଥିଲା ମାନବ ଦେଶ ଦେଶାନ୍ତର

କୃଷି ତାକୁ କହିଲା ରହ କରି ଘର

ସ୍ଥାୟୀ ଘରେ ଥିବାରୁ ସ୍ଥିର ହେଲା ମନ

ତେବେ ସିନା କରିଛି ମାନବ ଉନ୍ନତି

ସଂସାଧନ ହେ ।।

 

ରହିବାରୁ ମାନବ କୃଷି ଆଶା କରି

ଘର କଲା ନିର୍ମାଣ ତେଜି ଗିରି ଦରୀ

ଘରେ ଖରା ବରଷା କଷ୍ଟ ହେଲା ନାଶ

ଶୀତ ନାଶ ନିମନ୍ତେ ରାତିରେ କାର୍ପାସେ

କଲା ଆଶ ହେ ।।

 

କ୍ରମେ କ୍ରମେ ମନେ ତା’ ଉପୁଜିଲା ଜ୍ଞାନ

ବଟି କଲା ଛଣରେ ଦଉଡ଼ି ନିର୍ମାଣ

ଗୁନ୍ଥି ଗୁନ୍ଥି କୌଶଳେ କଲା ଅଖା ପଟି

ଲଜ୍ଜା ମାନ ରଖିବା ଶିଖିଲା ତହିଁରେ

ଢାଙ୍କି କଟି ହେ ।।

 

କପାଶିରୀ ବନାଇ କଲା ସୂତ୍ରୀକାର

କଲା ମୋଟା ପିନ୍ଧଣା ତହିଁରେ ତିଆର

ବୁଦ୍ଧିରୁ ତା’ ପ୍ରତିଭା କ୍ରମେ ଜାତ ହେଲା

ରଚିବାକୁ ବସନ ତା’ ଯୋଗ ନ କଲା

ଅବହେଳା ହେ ।।

 

ଦେଲା ତାକୁ ପ୍ରତିଭା ବିବିଧ ଉପାୟ

ବସ୍ତ୍ର ଲାଗି ରଚିଲା ଯନ୍ତ୍ର ସମୁଦାୟ

ବସ୍ତ୍ର ପିନ୍ଧି ହୃଦେ ତା’ ଜନ୍ମିଲା ଉଚ୍ଚାଟ

ଉଚ୍ଚାଟ ତା’ ଲୋଡ଼ିଲା ସକଳ ପ୍ରକାର

ସୁଖ ବାଟ ହେ ।।

 

ବସ୍ତ୍ର ଭଳି ମାନବ ନ ପିନ୍ଧିଲା ଚର୍ମ

ନରଭାବ ଜାଣିଲା ତେଜି ପଶୁଧର୍ମ

ଚର୍ମେ କଲା ନିର୍ମାଣ ପଦ ଆବରଣ

କଲା ତପ୍ତ ବାଲୁକା ଶୀତଳ ଭୂମିରେ

ବିଚରଣ ହେ ।।

 

ପ୍ରତିଭାକୁ ପୂଜିଲା ପାଇ ତାର ଗୁଣ

ଯାହା କଲା ହେଲା ସେ ତହିଁରେ ନିପୁଣ

ଯେତେ ଯେତେ ବୁଝିଲା ଅଧିକ ଅଭାବ

 

 

ତେତେ ତେତେ ଲୋଡ଼ି ତା’ ଉପାୟ ସକଳ

କଲା ଲାଭ ହେ ।।

 

ଜାଣିଲେସେ ଦେହ ତା’ କରିବାକୁ କର୍ମ

ମନ ତାର ପାଳିବା ପାଇଁ ନରଧର୍ମ

ଧର୍ମବଳେ ବଢ଼ିଲା ନର ପରାକ୍ରମ

ପ୍ରତିଭାର ପ୍ରଭାବେ କ୍ରମରେ ହେଉଛି

ଦେବ ସମ ହେ ।।

 

ତହୁଁ ନର ଲୋଡ଼ିଲା କେ ଅଛି ଈଶ୍ୱର

ଦେଉଛି କେ ପ୍ରତିଭା ପ୍ରତି କେ ବିଶ୍ୱର

ସୂର୍ଯ୍ୟ କିଏ କେ ଚନ୍ଦ୍ର କିଏ ତାରାଗଣ

ଖୋଜି ଖୋଜି ବିବିଧ ଧରମ କରୁଛି

ନିରୂପଣ ହେ ।।

 

ଦେଖୁଛୁଁ ଯା’ ଜଗତେ ବିଚିତ୍ର ବ୍ୟାପାର

ସବୁ ନର ପ୍ରତିଭା ହସ୍ତ କାରବାର

ପ୍ରତିଭାର ଜନମ-ଭୂମି ନର ମନ,

କୃଷି ଏକା କରୁଛି ମାନବ ମାନସ

ବରଧନ ହେ ।।

 

ଛାଡ଼ିଦେଲେ କୃଷିକି ସବୁ ହେବ ନାଶ

ନ ମିଳିବ ଗ୍ରାସ ଯେ ନ ମିଳିବ ବାସ

କାହିଁ ଯିବ ସଭ୍ୟତା ଭବ୍ୟତା ସକଳ

ଅନାହାରେ ମାନବ ମରିବ ହୋଇଣ

କଲବଲ ହେ ।।

 

ଘୃଣା କୃଷିକର୍ମକୁ ନ କର ରେ ଭାଇ,

ଯା’ର ଖାଇ ଜୀବନ, ତାର ଗୁଣ ଗାଇ

କୃଷି କଲେ ଉନ୍ନତ ସକଳ ଉନ୍ନତି

କୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବା

ଅନ୍ୟ ଗତି ହେ ।।

 

କହୁଅଛି ଅବନୀ ଯେତେ ମୋତେ ଚଷ

ଦେଉଥିବି ସୁଫଳ ହୋଇ କେତେ ବଶ

ହେବ ତୁମ୍ଭ ସକଳ ମଙ୍ଗଳ ମୋ’ ତୋଷେ

ତା’ ନ କଲେ ନିଶ୍ଚୟ ମୋ ରୋଷେ ମରିବ

ନିଜ ଦୋଷେ ହେ ।।

 

ମେଘ ବୋଲୁଅଛି ମୁଁ ଦେଉଅଛି ଜଳ

କୃଷି କର ମାନବ ଲଭିବୁ ସୁଫଳ

ବୋଲୁଅଛି ବଳଦ ମୁହିଁ ତୋର ସାହା

ଚଷି ଯା’ ନ ପାରିବୁ ମାନବ, ମୁଁ

ଚଷିଦେବି ତାହା ହେ ।।

 

ଶସ୍ୟ ବୋଲେ ମୁଁ ଅଛି ମାନବ ନିମନ୍ତେ

ଶତେ ଗୁଣେ ଫଳିବି ବୁଣିଦେଲେ ମତେ

ତେବେ ସୁଦ୍ଧା କୃଷିକି ନ କର ମାନବ

ବୁଲି ବୁଲି ଉଦର ପୋଷିଲେ ପ୍ରତ୍ୟକ୍ଷ

ସେ ଦାନବ ହେ ।।

 

ବିନା ଶ୍ରମେ ଯେ ଅନ୍ନ କରଇ ଆହାର

ପଶୁଠାରୁ ନିକୃଷ୍ଟ ଜୀବନ ତାହାର

ପାଇଅଛୁ ଉତ୍ତମ ଅବୟବମାନ

ଭିକ୍ଷା କରି ମାନବ କାହିଁକି ହେଉଛୁ

ହୀନମାନ ହେ ।।

 

ଭୂମି ଯଦି ନାହିଁ ତୋ’ ରହିପାରୁ ଗୁତ

ବଳିଯିବ ତୋହର ଉଦରୁ ତୋ’ ଭୂତି

କଉଣସି ଶ୍ରମକୁ ନ କରିବୁ ଲାଜ

 

 

ପରିଶ୍ରମ କଦାପି ନୁହଇ ଭିକ୍ଷାହୁଁ

ନୀଚ କାର୍ଯ୍ୟ ହେ ।।

 

ଗୁତିଠାରୁ ଭିଖାରି ଶତଗୁଣେ ହୀନ

ଭିକ୍ଷା କେବେ ନୁହଇ ଉଚ୍ଚ ଜାତି ଚିହ୍ନ

ଉଚ୍ଚ ସେହୁ ଯାହାର ଉଚ୍ଚ ଥାଏ ଜ୍ଞାନ

ଶ୍ରମ କଲେ ମାନବ କଦାପି ନ ପାରେ

ହୋଇ ସାନ ହେ ।।

 

ନ ଦିଅ ରେ ମାନବ କପାଳର ଦୋଷ

ପୂରିଅଛି ପୃଥିବୀ ଚଷି ପେଟ ପୋଷ

ଆୟ ଜାଣି ସର୍ବଦା କରୁଥିବ ବ୍ୟୟ

ଶ୍ରମ କର ନ ଥିବ ଜୀବନେ

ଉଦରଜ୍ୱାଳା ଭୟ ହେ ।।

 

ଗୁତି ଅଟେ ସମାଳେ ସାହୁ ସହକାରୀ

ତା’ ମାନ୍ୟରେ ସମାନ ନୁହଇ ଭିଖାରି

ବଳ ଥାଉଁ ଯେ ନର ଭିକ୍ଷା ମାଗିବୁଲେ

ହେବ ସିନା ତାହାର ତୁଳନା କେବଳ

ଦସ୍ୟୁ ତୁଲେ ହେ ।।

 

ଜାତି ଯାଏ ଯେ ଦେଶେ ଧଇଲେ ଲଙ୍ଗଳ

ଭିଖ ମାଗି ଖାଇବା ଜୀବନ ସମ୍ବଳ

ପଣ୍ଡିତଙ୍କୁ ଦିଅନ୍ତି ମୂର୍ଖେ ଆଶୀର୍ବାଦ

ଋଷିମାନେ ଧରନ୍ତି ରାସଭଙ୍କ ପାଦ

ଭିଖାରିଙ୍କି ପୂଜନ୍ତି ଅତି ସମାଦରେ

ପ୍ରତିଭାକୁ ନ ଚିହ୍ନି ପେଲନ୍ତି ପାଦରେ

କୁଳବଳେ ହୁଅନ୍ତି ନ ପଢ଼ି ପଣ୍ଡିତ

ଶ୍ରମ କଲେ ସମାଜେ ହୁଅନ୍ତି ଦଣ୍ଡିତ

ମାନ ଯାଏ ନାରୀଙ୍କ ଆଲୋକେ ରହିଲେ

ସେ ଦେଶରେ ଯଦ୍ୟପି ବର୍ଷିବ ଅମୃତ

ଆଉ କେଉଁ ଦେଶର ମାନବେ ରହିବେ

ଜୀବନ୍ମୁ ତ ହେ ।।

 

କୃଷି ତୋର ବେଦ ରେ କୃଷି ତୋ’ ପୁରାଣ

କୃଷି ବିନା ରହି ନ ପାରଇ ପରାଣ

କୃଷି ଘେନି ନୃପତି କୃଷି ଘେନି ସଭ୍ୟ

କୃଷି ବଳେ ଆୟୁ ଶ୍ରୀ ସମ୍ପଦ ସକଳ

ହୁଏ ଲଭ୍ୟ ହେ ।।

***

 

କୃଷକର ଆତ୍ମକଥା

 

ଚଷା କହେ ଖେଳି ମୁଁ ନ ଜାଣଇଁ ପଶା

ତହିଁ ପାଇଁ କେତେ ବା ଶୁଣେ ଲୋକହସା

ପଶା ଖେଳି ଯା’ ହେଲା ପାଣ୍ଡବଙ୍କ ଦଶା

ସେହି କଥା ସୁମରି ନ ମରି ଉଡ଼ି ମୋ

ଯାଏ ହଂସା ହେ ।।

 

ପଶା ଖେଳି ସଉକେ ବସି ବାବୁମାନେ

ଟେକୁଛନ୍ତି ରାଜ୍ୟକୁ ସ୍ୱରଗ ସମାନେ

ନ ଜାଣି ମୁଁ ପଇଲେ ବୋଲେ ପରା

ଦଶସବୁ ଜାଣି ବାବୁଏ ପଶାରେ କିଣନ୍ତି

ମହାଯଶ ହେ ।।

 

ଟାଣିଥାନ୍ତି ପଶାରେ ଅପସରା ମନ

କେବେ ସୁରାଳୟକୁ କରନ୍ତି ଗମନ

ବଷା ଛାର କେମନ୍ତେ ବୁଝିବି ସେ ମିଠା

କାମ କରେଁ ଖରାରେ ଧରାରେ, ଖାଇଣ

ପୋଡ଼ପିଠା ହେ ।।

 

ଉଠଇଁ ମୁଁ ରଜନୀ ଦୁଇ ଘଡ଼ି ଥାଏ

ଗୋରୁ ନେଇ ଯତନେ ଗୋଚରେ ଚରାଏ

ଉଠି ମୋର ଘରଣୀ ଆଗେ ଝାଡ଼ି ଦ୍ୱାର

ତହୁଁ କରେ ଯତନେ ଗୋରୁଙ୍କ ଗୁହାଳ

ପରିଷ୍କାର ହେ ।।

 

ଗୁହାଳଟି ଥାଏ ମୋ ରନ୍ଧାଘର ପରି

ଗୋରୁଙ୍କୁ ମୁଁ ମଣଇ ନିଜ ଭାଇ ସରି

ଖାଇଛିଁ ମୁଁ ତା’ ମା’ର ଗୋରସ ଛଡ଼ାଇ

ତେଣୁ ସେ ତ ଧରମ-ନୀତିରେ ସଂସାରେ

ମୋର ଭାଇ ହେ ।।

 

ମୋ ନିମନ୍ତେ କରେ ସେ ବଡ଼ ପରିଶ୍ରମ

ମୁଁ ଯେ କର୍ମ୍ମେ ଅକ୍ଷମ, ସେ ତହିଁରେ କ୍ଷମ

ନିଜେ ଖାଇ ପୁଆଳ ମୋତେ ଦିଏ ଧାନ

ସୋଦର ମୋ କରି ନ ପାରଇ ତା’ ପରି

ସ୍ନେହ ଦାନ ହେ ।।

 

ପ୍ରହାରିଲେ ମୁଁ ଦୁଷ୍ଟ ମନେ ସେ ନ ଧରେ

ରାତି ଦିନ ନ ବାରି ପରିଶ୍ରମ କରେ

ମୋ କାର୍ଯ୍ୟରେ ବରଷା ଖରା ନ ଗଣଇ

ମୋ ପଦାର୍ଥ ସହିତ ଆନନ୍ଦେ ମୋତେହିଁ

ନିଏ ବହି ହେ ।।

 

ଅତି ସ୍ନେହେ ଶୁଣଇ ମୁଁ ଗାଇଲେ ଗୀତ

ମୁଁ ଖାଇଲେ ଭାତ ସେ ମଣ୍ଡେ ହୁଏ ପ୍ରୀତ

ମୁହିଁ ରଖି ଚାଉଳ କୁଣ୍ଡା କଲେ ଦାନ

ଭାଇ ସେ ମୋ ଉଦାର ନିଜକୁ ମଣଇ

ଭାଗ୍ୟବାନ ହେ ।।

 

ଯାହା ମାତା ବାବୁଙ୍କୁ କରେ କ୍ଷୀର ଦାନ

ନ ଜାଣନ୍ତି କି କରେ ତାହାର ସନ୍ତାନ

ଦିନୁ ଦିନ କେମନ୍ତ ହେଉଛି ତା’ ଦଶା

ଘର ବୁଡ଼ିଲାଣି ଏଣେ ସେ ଛାଡ଼ନ୍ତି

ନାହିଁ ପଶା ହେ ।।

 

ମୁହିଁ ସିନା ନ ଜାଣେ ଷୋଳ ଦୁଣେ ଆଠ

ବାବୁମାନେ ପଢ଼ି ତ ଛନ୍ତି ସବୁ ପାଠ

ମୁଣ୍ଡ ଟେକି ଅଛନ୍ତି ରାଜଦରବାରେ

 

 

ବୁଦ୍ଧି ଦେଉଅଛନ୍ତି ଲୋକଙ୍କୁ ସକଳ

କାରବାରେ ହେ ।।

 

ସତ କରି କୁହନ୍ତୁ ଖା’ନ୍ତି କି ନା ଭାତ ?

କାହା ହାତେ ହେଉଛି ଭୂମିରୁ ତା’ ଜାତ

ନେତ୍ରେ ପଡ଼ୁଅଛି କି ତାହାଙ୍କ ଦୁର୍ଦ୍ଦଶା

କିହିଁ ଦେଖିପାରିବେ ସେ ଆଡ଼େ ଲାଗି ତ

ଅଛି ପଶା ହେ ।।

 

ଗୋରୁ ହେଉଅଛନ୍ତି ଦିନୁ ଦିନ ସାନ

ମିଳୁ ନାହିଁ ମହୀରେ ଚରିବାକୁ ସ୍ଥାନ

ନ ରଖିଲି ଗୋଚର ମୁଁ ଚଷା ଅଧମ

ପାଠ ପଢ଼ି ବାବୁଏ କାହିଁକି ମାନନ୍ତି

ନାହିଁ ଧର୍ମ ହେ ।।

 

ଦେଖନ୍ତୁ ତ କେଉଁଠି ଛନ୍ତି କେତେ ଷଣ୍ଢ

ଷଣ୍ଢ ବିନା ସକଳ ଚେଷ୍ଟା ହେବ ପଣ୍ଡ

ବାପ ଜାଣି ହେବେ ତ ସନ୍ତାନ ସନ୍ତତି

ବାବୁମାନେ କାହିଁକି ବୁଝିବେ ପଶାରେ

ଥିଲେ ମତି ହେ ।।

 

ଗୋରୁ ଚର୍ମ ବିକି ତ ରଖୁଅଛ ଟଙ୍କା

ଧର୍ମେ ଚାହିଁ ବଦନ ହେଉନ ନାହିଁ ବଙ୍କା

ସେ ଟଙ୍କାରେ କାହିଁକି ନ କିଣ ଗୋଚର

ସେ ଟଙ୍କାରେ କାହିଁକି ନ କିଣ ବଳିଷ୍ଠ

ବୃଷବର ହେ ।।

 

ବିଦେଶରୁ ବୃଷଭ ନ ଆଣ ରେ ଭାଇ

ମରିଯିବେ ଏଠାରେ ସୁଖାଦ୍ୟ ନ ପାଇ

ଦେହେ ତାଙ୍କ ନ ଯିବ ଏଠା ଖାଦ୍ୟ ଜଳ

ଝୁରି ଝୁରି ଜନମଭୂମିକି ହେବେ ସେ

କଲବଲ ହେ ।।

 

ବାଛି ବାଛି ଏଠାରେ ବତ୍ସ ଷଣ୍ଢ କର

ନିଜ ଦେଶେ ହେବେ ସେ ପୁଷ୍ଟ କଳେବର

ବୋମ୍ବାଇର ଆମ୍ବକୁ ଏଠାରେ ରୋପଣ-

କରି ଫଳ ସେପରି କହ ତ ପାଇଛ

କେତେ ଜଣ ହେ ।।

 

ଭୂମି ପଞ୍ଚମାଂଶ ମୋ’ ରଖିଛିଁ ପଡ଼ିଆ

ସେହିଠାରେ ମୋ ଗୋରୁ ହୋଇଥାନ୍ତି ଠିଆ

 

ତହିଁ ଘାସ ଚରନ୍ତି ତେଜି ମୂତ୍ରମଳ

କୂପଟିଏ ଅଛି ମୋ’ ତହିଁରୁ ତାହାଙ୍କୁ

ଦିଏଁ ଜଳ ହେ ।।

 

କୂପେ ମୋର ନ ପଶେ ବାହାରିଆ ଜଳ

କୁଟା ପତ୍ର ନ ପଡ଼େ ତା’ ଜଳ ନିର୍ମଳ

ତହୁଁ ଜଳ କାଢ଼ି ମୁଁ କରେଁ ଦାନ୍ତକାଠି

ମୁଢ଼ି ପିଠା ଯା’ ଥାଏ ଅଣ୍ଟିରେ ଚଳାଏ

ତହିଁ ପାଟି ହେ ।।

 

ବେଳ ଉଦି ପୃଥିବୀ ଦିଶିଲେ ଉଜ୍ଜ୍ୱଳ

ଖେତ କର୍ମେ ଲଗାଇଥାଏଁ ଦେହବଳ

ଗୋରୁଏ ମୋ ହୁଅନ୍ତି କେବେ ସହକାରୀ

କେବେ ଅବା ହୁଏ ମୁଁ ଏକାକୀ କୋଦାଳି-

କୋଡ଼ିଧାରୀ ହେ ।।

 

ଅଛି ଆମ୍ବ ମହୁଲ ତରୁ ମୋର ଆଟେ

ବାପା କହିଥିବାରୁ ତା’ ଡାଳ ନ କାଟେଁ

କର୍ମ ଶେଷେ ଆଶ୍ରଲଁ ତାଙ୍କ ଛାୟାତଳ

 

 

ଆସି ଧିରେ ସମୀର ଦେହକୁ କରେ ମୋ

ସୁଶୀତଳ ହେ ।।

 

ଖରାବେଳେ ଗୋରୁଏ ଖରାରେ ନ ଚରି

ଶୋଇଥାନ୍ତି ସେ ତରୁତଳ ଆଶ୍ରା କରି

ନାନା ଜାତି ବିହଙ୍ଗ ସେ ବୃକ୍ଷରେ ବସି

କରିଥାନ୍ତି ସଙ୍ଗୀତ କେତେ ମୋ ଖେତକୁ

ପରଶଂସି ହେ ।।

 

ଘରଣୀ ମୋ ଗୋବର ଗୁହାଳରୁ ବହି

ଖେତେ କରିଥାଏଁ ଯେ କୁଣ୍ଡ ଦିଏ ତହିଁ

ମିଶିଥାଏ ଗୋବରେ ପୁଆଳ ବା ଘାସ

ଛାଡ଼ିଥାନ୍ତି ଗୋରୁଏ ନ କରି ଯା’ ଗ୍ରାସ

କୁଣ୍ଡରେ ନ ପଡ଼ିବ ସୂର୍ଯ୍ୟଙ୍କ ନଜର

ବୋଲି ତାର ଉପରେ ଯତନ ବନାଇ

ଥାଏଁ ଘର ହେ ।।

 

କୁଣ୍ଡ ରସ ଭାସ୍କର ନ ପାରନ୍ତି ଟାଣି

ଧୋ ନେଇ ନ ପାରେ ବରଷାର ପାଣି

କେବେ କେବେ କୁଣ୍ଡକୁ ଓଲଟପାଲଟ

କରି ତାର ଗର୍ଭକୁ କାଢ଼ିଦିଏ ବାଟ

ପଶିଯାନ୍ତି ତହିଁକି ଆଲୋକ ପବନ

କରନ୍ତି ସେ କୁଣ୍ଡର ଖତକୁ ସରସ

ସଜୀବନ ହେ ।।

 

ସେ ଖତକୁ ସମୟେ ପକାଏଁ ମୋ ଖେତେ

ଫଳ ପାଏଁ ଅଧିକ ଖତ ଦିଏଁ ଯେତେ

ଖାଦ୍ୟ ବିନା କେହି କି ଆସେ ଉପକାରେ

ତା’ ଜାଣି ମୁଁ ଭୂମିକି ଖୁଆଏ ବିବିଧ

ପରକାରେ ହେ ।।

 

ଯେତେ ଯେତେ ଭୂମିରେ ଉପୁଜନ୍ତି ଘାସ

ଘଷିଦେଲେ ମରି ସେ ହୁଅନ୍ତି ତା’ ଗ୍ରାସ

ଚଷିଦେଲେ ଭୂମିରେ ପଶଇ କାକର

ପଶେ ପୁଣି ତହିଁରେ ଦିବାକର-କର

ସେହିମାନେ ଦିଅନ୍ତି ଜୀବନୀ ଶକତି

ତହିଁ ପାଇଁ ହୁଅଇ ରଜନୀ ଉଦନ୍ତ

ଛାୟାପତି ହେ ।।

 

 

 

ଭୂମି ଚଷିବାରେ ମୋ ନାହିଁ ଅବହେଳା

ନ ଜାଣଇ ନକ୍ଷତ୍ର ତିଥି ବାର ବେଳା

ଯେବେ ଯେବେ ବର୍ଷଣ ତେବେ ମୋ କର୍ଷଣ

ତେବେ ଏକା କରୁଛିଁ ଭୂମିରୁ ସୁଫଳ

ଆକର୍ଷଣ ହେ ।।

 

ହୃଷ୍ଟପୁଷ୍ଟ ଗରିଷ୍ଠ ହୁଏ ଯେତେ ଫଳ

ତାହାଙ୍କୁହିଁ ବିହନ ରଖଇଁ କେବଳ

ଭଲ ବୀଜ ଥିବାରୁ ଗଜା ହୁଏ ଭଲ

ଭଲ ଫଳ ବହୁତ ଫଳଇ ନାହିଁ ତା’

ଅମଙ୍ଗଳ ହେ ।।

 

ଜଳ ଏକା ଭୂମିର ପରମ ଆଶ୍ରୟ

ଖେତ ମୁଣ୍ଡେ କରିଛି ଏକ ଜଳାଶୟ

ଆବଶ୍ୟକ ସମୟେ ବରଷା ନ ହେଲେ

ସେହି ଜଳ ଆଣି ମୋ ଖେତରେ ମଡ଼ାଏଁ

ତେତେବେଳେ ହେ ।।

 

 

 

 

କରିଅଛି ପ୍ରତ୍ୟେକ ଡୁଳୀ ସମତଳ

ସମ ଭାବେ ତହିଁରେ ରହିଥାଏ ଜଳ

ସମ ଭାବେ ସର୍ବତ୍ର ଦେଇଥାଏଁ ଖତ

ହକାହକି ହୋଇଣ ସୁଫଳ ଦିଅନ୍ତି

ସେ ସମସ୍ତ ହେ ।।

 

ବାରମାସ ଖେତେ ମୋ ଲାଗିଥାଏ କାମ

ମାସେ ପକ୍ଷେ କେବେହେଁ ନ ଥାଏ ବିଶ୍ରାମ

ଖେତ ମୋର ଲକ୍ଷ୍ମୀର ବିପୁଳ ଭଣ୍ଡାର

ଦେଉଅଛି ଅଶନ ବସନ ଇତ୍ୟାଦି

ବାରମ୍ବାର ହେ ।।

 

ଦେଖିବାକୁ ଖେତ ମୋ’ ଯେମନ୍ତ ସୁନ୍ଦର

ରହିବାକୁ ମୋହର ସଦା ସୁଖକର

ଭିନ୍ନ ଭିନ୍ନ ଋତୁରେ ଭିନ୍ନ ଭିନ୍ନ ଶସ୍ୟ

ପତ୍ର ଫୁଲ ଫଳର ଶୋଭାରେ କରନ୍ତି

ମୋତେ ବଶ ହେ ।।

 

କାମ ମୋର ଖେତରେ, ଖେତରେ ବିଶ୍ରାମ

ବିଶ୍ରାମିଲେ ଏକାନ୍ତେ ଗାଏଁ ହରିନାମ

ଗାନ ମୋର ଉଠିଲେ ଖେତ ପକ୍ଷୀମାନେ

ନୀରବରେ ନିଶ୍ଚଳେ ମୋ ଗାନ ଶୁଣନ୍ତି

ଏକଧ୍ୟାନେ ହେ ।।

 

ମୋହୋ ଗାନ ଥମିଲେ ଉଠେ ତାଙ୍କ ଗାନ

ମଧୁ ଭରି ଉଠାନ୍ତି ଯେ ଯାହାର ତାନ

ଡାଳେ ଡାଳେ ବିହରି ଖେଳିବୁଲି ମୁଦେ

ଈଶ୍ୱରଙ୍କ ବିଚିତ୍ର ମହିମା ସ୍ମରାନ୍ତି

ମୋର ହୃଦେ ହେ ।।

 

ତହିଁ ସେ ମୋ ବାନ୍ଧବ ମୁଁ ତାହାଙ୍କ ମିତ

ପରସ୍ପରେ ଶୁଣାଉଁ ନିଜ ନିଜ ଗୀତ

ଖେତେ ତାଙ୍କ ମୋହର ସମ ଅଧିକାର

ଭୋଗକରୁଁ ତହିଁର ପଦାର୍ଥ ଯହିଁରେ

ଇଚ୍ଛା ଯା’ର ହେ ।।

 

କେବେ କେବେ ଆଣନ୍ତି ସଙ୍ଗରେ ଅତିଥି

ଅତିଥିଙ୍କି ଚାହିଁ ମୋ’ ବଢ଼ିଥାଏ ପ୍ରୀତି

ପକ୍ଷୀଏ ମୋ’ କରନ୍ତି କେତେ ଉପକାର

 

 

ଖାଇଯାନ୍ତି ମୋ’ ଶସ୍ୟ ବଇରୀ କୀଟଙ୍କୁ

ବାରମ୍ବାର ହେ ।।

 

ରାତି ପାଞ୍ଚ ଦଣ୍ଡ ମୁଁ ନିତି ପଢ଼େ ପାଠ

ପୋଥିମାନେ ମୋ ଗୁରୁ ମୁହିଁ ତାଙ୍କ ଚାଟ

ଦେଖୁଛିଁ ମୋ’ ହେଉଛି ମଙ୍ଗଳ ଅଶେଷ

ମାନି ଚଳୁଥିବାରୁ ସତତ ପୋଥିଙ୍କ

ଉପଦେଶ ହେ ।।

 

ପଢ଼ିଥିଲି ଅଳପ ବାଳୁତ କାଳରେ

ପଶି ଯେବେ ନ ଥିଲି ଗୃହ-ଜଞ୍ଜାଳରେ

ଯେଉଁଦିନୁ ରହିଲି ଗୁରୁଗୃହ ଛାଡ଼ି

ରାତିରେ ମୋ ହାତରେ କଲମ, ଦିବସରେ

କୋଡ଼ି ବାଡ଼ି ହେ ।।

***

 

ଆଖୁଚାଷ

 

ଚଷା କହେ ଅମୃତ ଉପୁଜେ ମୋ’ ଘରେ

ତହିଁ ପାଇଁ ଶ୍ରମକୁ ବରଣ ମୁଁ କରେ

ଶ୍ରମ ଏକା ଅଟଇ ଅମୃତ-ଜନନୀ

ଶ୍ରମ ମୋର ଜୀବନ-ସଙ୍ଗିନୀ କି ଦିନ

କି ରଜନୀ ହେ ।।

 

ଯେଉଁ ଭୂମି ପଡ଼ିଆ ରଖିଥାଏଁ ଥରେ

ତାକୁ କରେଁ ସରସ ପଡ଼ିଆ ଖତରେ

ମାଣକରେ କୁଶାରି ଦ୍ୱାଦଶ ହଜାର

ରୋପିଦେଲେ ଯେମନ୍ତ ବଢ଼ଇ ସେ କଥା

ନ ପଚାର ହେ ।।

 

ମାଣ ଯଦି ନ ବୁଝ ତା’ ଏକ ଏକର

ପଢ଼ିଛ ତ ଇଂରାଜୀ ବୁଝିବ ଏଥର

ଯେତେ ଶ୍ରମ କରଇଁ କୁଶାରି ଚାଷରେ

ପଶାଖେଳା ବାବୁ କି ବୁଝିବେ ନ ଥିଲେ

ମୋ ପାଶରେ ହେ ।।

 

ଶୁଣ ବାବୁ କହିବି ଆଖୁ ଚାଷ କଥା

ପାଣି ଟାଣି ଟାଣି ମୁଁ ହୋଇଯାଏଁ ଅଥା

ଅନର୍ଗଳ ଶରୀରୁ ବହୁଥାଏ ଝାଳ

ବାହୁବଳେ ପାଣି ମୁଁ ଉଠାଏଁ ତହିଁରେ

ଖରାକାଳ ହେ ।।

 

ସହକାରୀ ଭାଇ ମୋ ବଳଦ ସହିତେ

ଚଷେଁ ଆଗ ଭୂମିକି ଫଗୁଣ ଚଇତେ

ହୋଇଗଲେ ସକଳ ମାଟି ଧୂଳି ପରି

ତହୁଁ କରେଁ ଡୁହୁରି ଡୁହୁରି ସ୍ୱହସ୍ତେ

କୋଡ଼ି ଧରି ହେ ।।

 

ରୋପେଁ ତହିଁ କୁଶାରି ବୀଜ ଖଣ୍ଡ ଖଣ୍ଡ

ଅବା ଲମ୍ବଭାବରେ ଗୋଟା ଗୋଟା ଦଣ୍ଡ

ତା’ ଉତ୍ତାରେ ତହିଁରେ ତେଣ୍ଡିଦିଏଁ ପାଣି

ମାଟି ଶୁଖି ଯେମନ୍ତ ନ ମରେ ଏମନ୍ତ

କାଳ ଜାଣି ହେ ।।

 

ହସି ହସି ବୀଜରୁ ଅଙ୍କୁରେ ପତର

ଅଭିନବ ଶ୍ୟାମଳ କୋମଳ ସୁନ୍ଦର

ତାହା ଦେଖି ଆନନ୍ଦେ ପୂରଇ ମୋ ମନ

ଦେଖିଦେଲେ ଚାତକ ଯେସନ ଗଗନେ

ନବ ଘନ ହେ ।।

 

ବଢ଼ି ହୁଏ ପତର ଖଣ୍ଡା ଖଣ୍ଡା ପରି

ଖୋଳିଦିଏଁ ମୂଳର ମାଟି ଯତ୍ନ କରି

ବହି ଯାଉଥାଏ ମୋ ଦହୁ ଘର୍ମଧାର

ବାଜୁଥାଏ ତହିଁରେ ପତ୍ର-ଖଣ୍ଡାଧାର

ବୀର ପରି ସହି ତା’ ଅମ୍ଳାନବଦନେ

ଲାଗିଥାଏ କର୍ମର ସାଧନେ ସିଦ୍ଧିର

ଆସ୍ୱାଦନେ ହେ ।।

 

ବଢ଼ୁଥାଏ କୁଶାରି ଉଠୁଥାଏ ଦଳ

ମୂଳ ମାଟି ଶୁଖିଲେ ଦେଉଥାଏଁ ଜଳ

ଯାବତ ନ ପଡ଼ଇ ବରଷାର ଧାର

ଲାଗିଥାଏ ତାବତ ତା’ ସହ ମୋହର

କାରବାର ହେ ।।

 

ବଢ଼ି ପିଣ୍ଡ ହେଲେ ତା’ ମୋହଠାରୁ ଉଚ୍ଚ

ବାନ୍ଧିଦିଏଁ ତା’ ଅଙ୍ଗେ ତାର ପତ୍ରଗୁଚ୍ଛ

ତହୁଁ ବଢ଼ି ଉଠିଲେ ବାଉଁଶ ସମରେ

ଭୟ ହୁଏ ପଡ଼ିବ ପବନ-ସମରେ

ପାଞ୍ଚ ସାତ ମିଶାଇ ବାନ୍ଧିଦିଏଁ ଦଳ

ପୋତିଦିଏଁ ବଳିଷ୍ଠ ବାଉଁଶ ଦେବାକୁ

ତାକୁ ବଳ ହେ ।।

 

ଯାହା ସଙ୍ଗେ ଯେ ରହେ ତା’ ଗୁଣ ସେ ପାଏ

ବଢ଼ନ୍ତି ମୋ କୁଶାରି ବାଉଁଶ ପରାଏ

ଆକୃତିରେ ନ ହୁଏ ପ୍ରକୃତି ସମାନ

ଶୁଖିଯାଏ ବାଉଁଶ ମୋ ଆଖୁ ହୁଅଇ

ରସବାନ ହେ ।।

 

ଯେତେବେଳେ ବହୁତ ପଡ଼ଇ କାକର

ପାଚିଯାଏ ପତର କୁଶାରିଯାକର

ଅଗଯାଏ ମଧୁର ରସ ଯାଏ ପୂରି

ପଗଯାକ କରନ୍ତି ମୋ ହୃଦ ଆନନ୍ଦ

ବଳେ ଜୁରି ହେ ।।

 

ଶୁଖିଯାଉଥାଏ ତା’ ଅଙ୍ଗ ପତ୍ରମାନ

ଶିର ପତ୍ର ସୁବର୍ଣ୍ଣ ମୁକୁଟ ସମାନ

କୀଟ-ଦନ୍ତଘାତରୁ ହେବ ଅଙ୍ଗ ରକ୍ଷା

ବୋଲି ଶୁଖା ପତ୍ରରେ ବନାଇଥାଏଁ ତା’

ଅଙ୍ଗରଖା ହେ ।।

 

ତେତେବେଳେ ମନରେ ହୁଏ ମୋର ଆଶ

କରିଦେବେ ଏବେ ମୋ ଦାରିଦ୍ର୍ୟ ବିନାଶ

ସତେ ଦଳ ଦଳ ସେ ଘୋର ଶୀତ ରାତ୍ରେ

ଘଣଶ-ବୀର ସଙ୍ଗରେ ଯୁଦ୍ଧକୁ ହୁଅନ୍ତି

ନୀତ ଦାତ୍ରେ ହେ ।।

 

ଚଳନ୍ତି ସେ ନିଃଶଙ୍କେ ଆରୋହି ଶକଟ

ଘଣା ଦେଖି ସେ ଦଳେ ମଣଇ ସଂକଟ

ସେନାପତି କରଇ ସମର ବାହନ

ଚକ୍ରବ୍ୟୂହ ବିରଚି ମହିଷ ଭ୍ରମଇ

ଘନ ଘନ ହେ ।।

 

ଶୁଣି ଘଣାବୀରର ସଗର୍ବ ଗର୍ଜନ

ବିଚାରନ୍ତି ସେ ଗର୍ବ କରିବେ ଗଞ୍ଜନ

ଦଳ ଦଳ ଯୁଝିଲେ ନ ରହିବ ଟେକ

 

 

ବୋଲି ଘଣା ସହିତ ମୋ ବୀରେ ଯୁଝନ୍ତି

ଏକ ଏକ ହେ ।।

 

ଧର୍ମ ରଖି ନ କରି ମରଣକୁ ଭୟ

ଦେଇ ନିଜ ଶରୀର ଆଣନ୍ତି ମୋ ଜୟ

ହାଡ଼ ତାଙ୍କ ଯୁଝଇ ଅନଳରେ ପଶି

ରସ ରଣେ ନାଚଇ ଭୀଷଣ ଅନଳ

ଶିରେ ବସି ହେ ।।

 

ନ ବୁଝନ୍ତି ସମସ୍ତେ ସେ ତତ୍ତ୍ୱ ନିଗୂଢ଼

ବୋଲିଥାନ୍ତି କୁଶାରି ରସ ହେଲା ଗୁଡ଼

ଇକ୍ଷୁ ସେ ଯେ ଇକ୍ଷ୍ୱାକୁ-ବଂଶୀ ପରି ବୀର

ରଣେ ପ୍ରାଣ ଦେବାରେ ଯେ ଲାଭ ବୁଝନ୍ତି

ଏବେ ଧୀର ହେ ।।

 

ଜୀବନେ ଯା’ ଆଖୁର ଥିଲା ମଧୁ ଗୁଣ

ଗୁଡ଼େ ଘନ ହୋଇ ତା’ ହେଲା ପାଞ୍ଚଗୁଣ

ବଞ୍ଚିଥିଲେ ସେସବୁ ନ ପଶି ସମରେ

ମଲେ ଅଳ୍ପ ପଛରେ, ସଂସାରେ ଯେ ଜନ୍ମେ

ସେ ତ ମରେ ହେ ।।

 

ଭଙ୍ଗାଯାଇ ପାଦେ କେ ଚୋଷାଗଲା ଦନ୍ତେ

ଖଣ୍ଡ ଖଣ୍ଡ ହେଲା କେ ବିହନ ନିମନ୍ତେ

ଘଣା-ରଣେ ଯେ ମଲା ରହିଲା ତା’ ଯଶ

ଗୁଡ଼ ଚିନି ନବାତ ସ୍ୱରୂପେ ପ୍ରସରି

ଦିଗ ଦଶ ହେ ।।

 

ଦେହ ଦେଲା ମୋ ଆଖୁ କରି କର୍ମ ସିଦ୍ଧି

ତହିଁ ପାଇଁ ତାହାକୁ ସୃଜିଥିଲା ବିଧି

ସେହି ଧର୍ମ ତା’ ଠାରୁ କରିଛି ମୁଁ ଶିକ୍ଷା

କର୍ମେ ଶେଷ କରିବି ଜୀବନ, ଧରିଛି

ତାର ଦୀକ୍ଷା ହେ ।।

 

ଯେ ଦେଇଛି ଏ ଦେହ ତାର ଜୟ ପାଇଁ

କାଳ-ଘଣା ପାଖକୁ ଯାଉଅଛି ଧାଇଁ

ଯେ ଦେଇଛି ଜୀବନ ନିଜେ ହସ୍ତେ ଧରି

ଘଣା ମୁଖେ ଦେବ ମୋ ଶରୀରକୁ ଭରି

ହାଡ଼ ମୋର ଯୁଝିବ ଭୀଷଣ ଅନଳେ

ପୁଣ୍ୟ ରସ ଥିଲେ ମୋ ନାଚିବ ଅନଳ

ବକ୍ଷସ୍ଥଳେ ହେ ।।

 

କୀର୍ତ୍ତି ମୋର ଯଦ୍ୟପି ଥିବ ମଧୁମୟ

ତେବେ ହେବ ଅଧିକ ମଧୁର ନିଶ୍ଚୟ

ହେବି ଯେବେ ଅଳସ କରମକୁ ଡରି

ରହି ତ ନ ପାରିବି ଜଗତେ ଏ

ମାଂସପିଣ୍ଡ ଧରି ହେ ।।

 

ବଢ଼ିଥାଏ ନଳିତା ଆଖୁ ପାଶେ ପାଶେ

ଖରାକାଳେ ରସନା ତୋଷିବାରେ ଆସେ

ଆନ ତରକାରିକି ନ ଲୋଡ଼େ ମୋ ଭାତ

ସବୁ ଛାଡ଼ି ପ୍ରଥମେ ପକାଏଁ

ନଳିତାଶାଗେ ହାତ ହେ ।।

 

କାଉଁରିଆ ବଢ଼ଇ ଆଖୁ ସଙ୍ଗେ ସଙ୍ଗେ

ଶରଦରେ ନୟନ ତୋଷେ ଫୁଲ ରଙ୍ଗେ

ରହିଥାଏ ଚୌଦିଗ କରି ଆବରଣ

ବୀର ଅଙ୍ଗେ ଯେସନ କୋମଳ ବସନ

ଆଭରଣ ହେ ।।

 

ଦେହ ତେଜି ହେମନ୍ତେ ଦେଇଯାଏ ଚର୍ମ

ଚର୍ମ ତାର କରେ ମୋ ଦଉଡ଼ିର କର୍ମ

ଅସ୍ଥିରେ ତା’ ଅସ୍ଥିର ହୁଏ ଅନ୍ଧକାର

ତାହା ଯୋଗୁଁ ସମୟେ ପ୍ରଦୀପ ନ ହୁଏ

ଦରକାର ହେ ।।

 

କାଉଁରିଆ ସହିତେ ଲାଗିଥାଏ ଭେଣ୍ଡି

ନାମ ସିନା ତାହାର ନୁହଇ ସେ ଭେଣ୍ଡି

ଭେଣ୍ଡିଫଳ ତିଉଣ ବଡ଼ ରୁଚିକର

ପୋଡ଼ିଦେଲେ ପଖାଳ ସହଜେ ଚଳେ ମୋ

ପିଲାଙ୍କର ହେ ।।

 

ଶିମ୍ବ ଲାଗିଥାଏ ମୋ ଆଖୁ ବାଡ଼ି ବାଡ଼େ

ଶୀତେ ଶୋଭେ ସୁନ୍ଦର ଫୁଲେ ଚାରିଆଡ଼େ

ଫଳ ଦିଏ ମୋତେ ସେ ଶୀତ ଶେଷ ଯାଏ

ଶ୍ୟାମରୂପେ ସଭିଙ୍କ ମରଣ ପରେ ସେ

ମରିଯାଏ ହେ ।।

 

ଥାଏ ଲଙ୍କାମରିଚ ବାଇଗଣ ଗଛ

ଛାଡ଼ି ତ ନ ପାରନ୍ତି କୁଶାରିର ପଛ

ଶିମ୍ବ ଲଙ୍କାମରିଚ ଭେଣ୍ଡି ବାଇଗଣ

 

 

ନିଜେ ଖାଇ ଖୁଆଇ ପରକୁ ଅରଜେଁ

ଚାରି ପଣ ହେ ।।

 

କନ୍ଦା ହେବା ପାଇଁ, ମୋ କୁଶାରି ବାଡ଼ିରେ

ଉଠିଥାଏ ଶିମିଳି ଡୁହୁରୀ ଆଡ଼ିରେ

ଡାଳ କରି ରୋପଣ ବାଳ ବୟସରେ

ଖୋଳିଦେଲେ ଶିମିଳି ପଇସା ଆଣି ମୋ

ଦିଏ ଘରେ ହେ ।।

 

କାବୁଲ ମୋ ସତତ ଆଖୁ ସହଚର

ଆଖୁ ଗଲେ ଜୀବନ ହୁଏ ତା’ ଦୁର୍ଭର

ବେଗେ ବେଗେ ଜୀବନ କରିବାକୁ ଶେଷ

କଞ୍ଚାଫଳ ପ୍ରଦାନ କରଇ ବିଶେଷ

କେତେ ଫଳ ନ ସରି ପାଚିଯାଏ ଶୁଖି

ଦାଲିରୂପେ ବ୍ୟଞ୍ଜନ ହୋଇ ସେ ଲୋକଙ୍କୁ

କରେ ସୁଖୀ ହେ ।।

***

 

ଭୂମି ବିଭାଗ

 

ଭୂମି ନାନା ଶ୍ରେଣୀର ଅଛି ମହୀତଳେ

ଭୂମିଯୋଗ୍ୟ ଶସ୍ୟରେ ଭଲ ଫଳ ଫଳେ

ଲୋକ ଜାଣି ଯେମନ୍ତ କଲେ ବ୍ୟବହାର

ଉପକାର ହୁଅଇ ନ ହେଲେ ନିଶ୍ଚୟ

ଅପକାର ହେ ।।

 

କାହାକୁ କି ଯୋଗ୍ୟତା ନ ଜାଣେ ଯେ ଜନ

ଏ ସଂସାରେ ନୁହେ ସେ କର୍ମର ଭାଜନ

ଏଣୁ ଇଚ୍ଛାକରେ ଯେ କରିବାକୁ କର୍ମ

ପ୍ରଥମରେ ଜାଣିବା ଉଚିତ କାହାର

କେଉଁ ଧର୍ମ ହେ ।।

 

ଭୂମି ଅଛି ପ୍ରଥମ ଶ୍ରେଣୀରେ ବାହାଲ,

ଦ୍ୱିତୀୟରେ ବେରଣା, ତୃତୀୟରେ ମାଲ

ଆଉଯାକ ଚତୁର୍ଥ ଶ୍ରେଣୀରେ ସେ ଆଟ

ତାଙ୍କ ମଧ୍ୟେ ସରସ ନୀରସ ଜ୍ଞାନହିଁ

କୃଷିପାଠ ହେ ।।

 

ନରେ ଯଥା ପ୍ରଥମ ଶ୍ରେଣୀରେ ବ୍ରାହ୍ମଣ

ଦ୍ୱିତୀୟରେ କ୍ଷତ୍ରିୟ ତିଜେ ବୈଶ୍ୟଗଣ

ଚତୁର୍ଥରେ ଶୂଦ୍ର ସେ ବିବିଧ ପ୍ରକାର

ନିଜ ନିଜ କର୍ମରେ କରନ୍ତି ସମାଜ

ଉପକାର ହେ ।।

 

ଯହିଁ ଜଳ ପ୍ରଚୁର ବାହାଲ ତା’ ଜାଣ

ସେହି ଏକା ବ୍ରାହ୍ମଣ ଯହିଁ ଦିବ୍ୟ ଜ୍ଞାନ

ଢିପ ହେଲେ ବାହାଲ ହୋଇଯାଏ ଆଟ

ଶୂଦ୍ର ହୁଏ ବ୍ରାହ୍ମଣ ନ କଲେ ଉତ୍ତମ

ବେଦପାଠ ହେ ।।

 

ବାହାଲରୁ ନିଊନ ବେରଣାରେ ଜଳ

ଜଳ ତାର ବଢ଼ାଏ ବାହାଲର ବଳ

ବ୍ରାହ୍ମଣକୁ ପୋଷଇ କ୍ଷତ୍ରିୟର ବାହା

ବାହାଲକୁ ବେରଣା, ବିପ୍ରକୁ କ୍ଷତ୍ରିୟ

ସଦା ସାହା ହେ ।।

 

ଭଟା ଭୂମି ବାନ୍ଧିଲେ ତହିଁ ରହେ ଜଳ

ଚାରିପାଖ ତାହାର ପ୍ରାୟ ସମତଳ

ତା’ ଜଳକୁ ଲଭନ୍ତି ବାହାଲ ବେରଣା

ତେବେ ହୋଇଥାନ୍ତି ସେ ଉତ୍ତମ ସରସ

କ୍ଷେତ୍ରେ ଗଣା ହେ ।।

 

କି ବ୍ରାହ୍ମଣ କି ଅବା କ୍ଷତ୍ରିୟ କେବଳ

ବୈଶ୍ୟ ଧନେ କରନ୍ତି ସ୍ୱବଳ ପ୍ରବଳ

ବୈଶ୍ୟ ଧନ ଅଭାବେ ନ ପାରନ୍ତେ ଚଳି

କିହିଁ ପାଠ ପଢ଼ନ୍ତେ କେମନ୍ତେ ହୁଅନ୍ତେ

ମହାବଳୀ ହେ ।।

 

ସବୁଠାରୁ ଉଚ୍ଚକୁ ଆଟ କହେ ଚଷା

ଅନ୍ୟ ଭୂମି ଜଳକୁ ନାହିଁ ତା’ ଭରସା

ଯାହା ପାଏ କରଇ ଅପରଙ୍କୁ ଦାନ

ଧନ୍ୟ ତାର ମହତ୍ତ୍ୱ ତଥାପି ହୁଅଇ

ଫଳବାନ ହେ ।।

 

ଶୂଦ୍ର ସେବା କରଇ ଅନ୍ୟ ତିନି ବର୍ଣ୍ଣେ

ଶୂଦ୍ର ହୁଏ ପୋଷକ ତାହାଙ୍କ ଜୀବନେ

ନିଜ କର୍ମଲବ୍‌ଧ ଧନେ ପେଟ ପୋଷେ

 

 

ନିଜେ ରହି ଆନନ୍ଦେ ଅପର ସଭିଙ୍କି

ତହିଁ ତୋଷେ ହେ ।।

 

ଆଟ ହୁଏ ବାହାଲ ପାଏ ଯେବେ ଜଳ

ଆଟ ଗର୍ଭେ ଫଳଇ ବାହାଲର ଫଳ

ଶୂଦ୍ର ଲଭେ ଦ୍ୱିଜତ୍ୱ ପାଏ ଯେବେ ଜ୍ଞାନ

ଚଷା ତାର ଭୂପାଳ ସେ ଏକା ବଢ଼ାଏ

ତା’ ସମ୍ମାନ ହେ ।।

 

ବାହାଲର ଧାନଟି ବ୍ରାହ୍ମଣର ଯୋଗ୍ୟ

ବେରଣାର ଧାନଟି କ୍ଷତ୍ରିୟର ଭୋଗ୍ୟ

ବୈଶ୍ୟ ଶୂଦ୍ର ଖାଇଲେ ମାଳ ଆଟ ଧାନ

ନିଜ ନିଜ କର୍ମରେ ହୁଅନ୍ତି ସକ୍ଷମ

ବଳବାନ ହେ ।।

 

କି ଭୂମି କି ମାନବ ସମସ୍ତେ ବିଷମ

କେ ଉତ୍ତମ ମଧ୍ୟମ କେ ଅବା ଅଧମ

ଯତ୍ନବଳେ ସମସ୍ତେ ହୋଇଥାନ୍ତି ଭଲ

ଉତ୍ତମହିଁ ଯତନବିହୀନେ ଦିଅଇ

ମନ୍ଦ ଫଳ ହେ ।।

 

ଥାଏ ଭୂମି ମଧ୍ୟରେ ବରଛା ବା ଖାରୀ

ହେଲେ ତହିଁ ଯତନ ମିଳେ ଫଳ ଭାରି

ନରେ ଥା’ନ୍ତି ପ୍ରତିଭାଶାଳୀ ବୁଦ୍ଧିମନ୍ତ

ଯତ୍ନ ହେଲେ ଯା’ ଫଳ ଦିଅନ୍ତି ନ ହୁଏ

କରି ଅନ୍ତ ହେ ।।

 

ଜଳ ଥିବା ମାତ୍ରକେ ବାହାଲେ ନ ଗଣ

କୁଳେ ଜନ୍ମ ମାତ୍ରକେ ନ ହୁଏ ବ୍ରାହ୍ମଣ

ଜଳ ଥାଇ ଯହିଁରେ ନ ମିଳଇ ଫଳ

କୁଳେ ଜନ୍ମ ଯଦ୍ୟପି ନାହିଁ ବିଦ୍ୟା ବଳ

ନୁହଇ ସେ ବାହାଲ, ବ୍ରାହ୍ମଣ ସେ ନୁହେ

ନାମ ତାଙ୍କ ସାର୍ଥକ ନୁହଇ ପତିତ

ସିନା ଦୁହେଁ ହେ ।।

 

ଆଦ୍ୟ ତିନି ଭୂମିରେ ହୋଇଥାଏ ଧାନ

ଆଦ୍ୟ ତିନି ବର୍ଣ୍ଣରେ ଥାଏ ବିଦ୍ୟା ଜ୍ଞାନ

ଆଟେ ଫଳ ଫଳଇ ଅନେକ ପ୍ରକାର

ଶୂଦ୍ରମାନେ ବିବିଧକର୍ମରେ କରନ୍ତି

ଉପକାର ହେ ।।

 

ହୁଏ ଏକ ଭୂମିରେ ଭିନ୍ନ ଭିନ୍ନ ଫଳ

ହୁଏ ଏକ କୁଟୁମ୍ବେ ଭିନ୍ନ ଭିନ୍ନ ବଳ

କେଉଁ ଫଳ କାହିଁରେ ହୁଅଇ ଉତ୍ତମ

କିଏ କେଉଁ କାର୍ଯ୍ୟରେ ମାନବ ହୋଇ ତ

ଥା’ନ୍ତି କ୍ଷମ ହେ ।।

***

 

ଧାନଚାଷ

 

ଜଗତରେ ଦୁର୍ଲ୍ଲଭ ଅମୂଲ୍ୟ ସମୟ

ସମୟକୁ ଜଗିଲେ ସବୁଠାରୁ ଜୟ

ସମୟକୁ ଯେ ଲୋକ କରେ ଅବହେଳା

ଏ ସଂସାର-ସାଗର-ତରଙ୍ଗେ ବୁଡ଼ାଏ

କର୍ମଭେଳା ହେ ।।

 

ସମୟରେ ଶୟନ ସମୟେ ଭୋଜନ

ସମୟରେ କର୍ମ ଯେ ସମୟେ ଅର୍ଜ୍ଜନ

ବିତିଗଲେ ସମୟ ସବୁ ହୁଏ ହାନି

ଏଣୁ ଜଗି ସମୟ ସକଳ ସମ୍ପାଦି

ଥାଏ ଜ୍ଞାନୀ ହେ ।।

 

ସମୟରେ ଭୂମିକି କରିଥିବ ଚାଷ

ସମୟରେ ନିର୍ମାଣ କରିଥିବ ବାସ

କରିଥିଲେ ସମୟେ ସବୁ ଆୟୋଜନ

କର୍ମେ ସିଦ୍ଧି ସୁଫଳ ସୁଯଶ ଲଭନ୍ତି

ସର୍ବଜନ ହେ ।।

 

ସାଜିଥିବ ବଳଦ ବିହନ ଲଙ୍ଗଳ

ବୃଷ୍ଟି ହେଲେ ଭୂମିରେ ଚାଲୁଥିବ ହଳ

ଜ୍ୟେଷ୍ଠ ମାସ ବୁଣିବ ନୋହୁଣୁ ବରଷା

ସବୁଠାରୁ ଉତ୍ତମ ଖରଡ଼ି ବୋଲନ୍ତି

ତାକୁ ଚଷା ହେ ।।

 

ହଳ ଥିବ ଚଳାଇ ବୁଣିବା ଉପରେ

ଢାଙ୍କିଥିବ ବୀଜକୁ ଉତ୍ତମ ରୂପରେ

ଦିଶୁଥିଲେ ବୀଜ ତା’ ଖାଇଦେବ ପକ୍ଷୀ

ତାହାର ସେ ଆହାର ଜଗତେ ପାରିବ

ନାହିଁ ରଖି ହେ ।।

 

ଅନ୍ୟ କ୍ଷେତ୍ରେ ପ୍ରଥମେ ବରଷିଲେ ଜଳ

ବୁଣିଦେବ ବତୁରୀ ଚଳାଇ ଲଙ୍ଗଳ

ବୁଣା ପରେ ତାକୁହିଁ ଚଷିଦେବ ଥରେ

ଭଲ ଗଜା ହୁଏ ତା’ ପ୍ରଥମ ଜଳରେ

ଉତ୍ତାପରେ ହେ ।।

 

ହୋଇଗଲେ ପ୍ରଥମେ ବରଷା ପ୍ରବଳ

ଡୁଲୀ ଗର୍ଭେ ଯଦ୍ୟପି ରହିଯିବ ଜଳ

ଯୋତି ଥରେ ଭୂମିକି କରିଣ କର୍ଦ୍ଦମ

ବୁଣିଦେବ ‘ଟବକା ବତୁରୀ’ ତା’ ନୁହେ

ଅନୁତ୍ତମ ହେ ।।

 

ଅନ୍ୟରୂପେ ଧାନକୁ ହାଣ୍ଡିରେ ଗଜାଇ

ଯୋତି ଭୂମି କର୍ଦ୍ଦମ ଉପରେ ସଜାଇ

ବିଞ୍ଚିଦେବ କର୍ଦ୍ଦମ ପିଠି ଗଜା ଧାନ

ତଳେ ଯାଏ ଚୋର ତା’ ଉପରେ ଉଠନ୍ତି

ଗଜାମାନ ହେ ।।

 

ପୃଷ୍ଠେ ବୁଣା ଧାନକୁ ବୋଲନ୍ତି ଅଛରା

ହୁଏ ତାହା ପକ୍ଷୀଙ୍କ ଭୋଜନପସରା

ତହିଁ ପାଇଁ କୃଷକ ଥିବ ସାବଧାନେ

ପକ୍ଷୀ ତଡ଼ିପାରନ୍ତି ଆନନ୍ଦେ ତୁମ୍ଭର

ପିଲାମାନେ ହେ ।।

 

ନ ବୁଣିବ ଧାନକୁ ଅତିହିଁ ବହଳ

ନ କରିବ ଅଥବା ଅତିହିଁ ବିରଳ

ଯେତେ ଦୂରୁ ମୂଳ ତା’ ରସ ଆଣିପାରେ

 

 

ରଖିଥିବ ନଜର ତେତିକି ଅନ୍ତରେ

ରଖିବାରେ ହେ ।।

 

ଏକ ବୀଜୁଁ ଉଠଇ ଅନେକ ଅଙ୍କୁର

ଭାବି ବୀଜ କରିବ ପରସ୍ପରେ ଦୂର

ରସ ପାଇଁ ନ ହେବେ ପରସ୍ପରେ ମାଡ଼

ଗୃହ-ଦ୍ୱନ୍ଦ୍ୱେ ଆହାର ନିମନ୍ତେ ମରିବେ

ହେଲେ ଗାଢ଼ ହେ ।।

 

ଧାନଗଛ ନୋହୁଣୁ ଆଣ୍ଠୁର ସମାନ

ଅବା ଅଧ ଆଣ୍ଟୁରୁ ନୋହିଥିବ ସାନ

ପ୍ରାୟ ଅର୍ଦ୍ଧ-ଅଙ୍ଗ ତା’ ଥିବ ଜଳେ ମଜ୍ଜି

ସୁକାନ୍ତିରେ ନୟନ ହେଉଥିବ ରଞ୍ଜି

ସେ ସମୟେ ତାହାକୁ ଭଲରୂପେ ଯୋତି-

ଦେଲେ ନାଚି ନାଚି ସେ ଜଳରେ

ବିକାଶିଥାନ୍ତି ଜ୍ୟୋତି ହେ ।।

 

ଥିଲେ ତାଙ୍କ ମୂଳର ମାଟି ମୁଣ୍ଡା ମୁଣ୍ଡା

ନିଜ ହସ୍ତେ ତା’ କରିଦେବ ଗୁଣ୍ଡା ଗୁଣ୍ଡା

ତାହାହେଲେ ସ୍ୱଚ୍ଛନ୍ଦେ କରି ଅବସ୍ଥାନ

ତୁମ୍ଭ ହିତ କାମନା କରିବେ ଉଲ୍ଲାସେ

ଗଛମାନ ହେ ।।

 

ଖରଡ଼ି କି ବତୁରୀ ଅଥବା ଅଛରା

ପହ୍ଲା ଥିବ ପକାଇ ଅପୁଚ୍ଛା ପଚରା

କରିଥିବ ଘାରୀ କି ସାରରେ ସରସ

ରସ ପାଇ ପହ୍ଲାଏ ଲଭିବେ ହରଷ

ନ ଡରିବ ପହ୍ଲାକୁ ରଖିବାକୁ ଘନେ

ବଢ଼ନ୍ତି ସେ ଶୈଶବେ ସରସ ଜୀବନେ

ପହ୍ଲାସବୁ ହେଲାରୁ ଅର୍ଦ୍ଧ ଅର୍ଦ୍ଧ ହସ୍ତ

ମୂଳେ ଜଳ ମଡ଼ାଇ ଉପାଡ଼ି ରଖିବ

ସେ ସମସ୍ତ ହେ ।।

 

ବିଡ଼ା ବାନ୍ଧିଥିବ ତା’ ମୁଠିଏ ପ୍ରମାଣ

ଧୋଇଦେବ ଜଳେ ତା ଜନ୍ମ ମାଟିମାନ

ଯେଉଁ କ୍ଷେତେ ରୋପିବ ଭରି ଦେଇ ଜଳ

ଆଗେ ଦେବ କପର ତା’ ପରେ ଲଙ୍ଗଳ

ଘାସ ଲଟା ସକଳ ହୋଇଯିବ କାଦ

ଚଳି ଚଳି ଲଙ୍ଗଳ ପଡ଼ି ପଡ଼ି ପାଦ

ଶେଷ ପୁଣି ତହିଁରେ କପର ଚଳାଇ

ଗୋଟି ଗୋଟି ବିରଳେ ପହ୍ଲାକୁ ରୋପିବ

ଚଷାଭାଇ ହେ ।।

 

ଯେତେବେଳେ ଯେମନ୍ତ ପାଇଥିବ ପାଗ

ତେତେବେଳେ ସେ କର୍ମ କରିଥିବ ଆଗ

ଚାଲିଥିଲେ ସମୟ ଲୋଡ଼ିଲେ ନ ମିଳେ

ଆଗ କାର୍ଯ୍ୟ ପଛକୁ କଦାପି ରଖିବ

ନାହିଁ ତିଳେ ହେ ।।

 

ଏକମାତ୍ର ଜଳ ତ କୃଷିର ଭରସା

ତୁମ୍ଭ ପାଇଁ ଟାକି ତ ନଥିବ ବରଷା

ବରଷିଲା ମାତ୍ରକେ କରିନେବ କାମ

ସିଦ୍ଧି ଯଦି ନ ମିଳେ ସାଧନେ ଜାଣିବ

ବିଧି ବାମ ହେ ।।

 

ଅତି ବୃଷ୍ଟି ଅବୃଷ୍ଟି ଉଭୟ ସମାନ

ତହିଁ ପାଇଁ ସର୍ବଦା ଥିବ ସାବଧାନ

ଜଳ ଛାଡ଼ିଦେବାକୁ ରଖିଥିବ ପଥ

ଥିବ ଜଳଭଣ୍ଡାର ଯହିଁରେ ଚଳିବ

ମନୋରଥ ହେ ।।

 

ଆଟ ଧାନ ଦାଇଲେ ରହେ ଯେଉଁ ମୂଳ

ଉଚ୍ଚ ଥିବ ଦଶ କି ଦ୍ୱାଦଶ ଆଙ୍ଗୁଳ

ଯତନରେ ରଖିଲେ ସେହି ମୂଳମାନ

ପୁଣି ଫୁଟି ପତର ଫଳଇ ଆହୁରି

ଥରେ ଧାନ ହେ ।।

 

ସେହି ଧାନ ବୁଣିଲେ ଆଗତ ବରଷ

ଗଛମାନ ତାହାର ହୁଅନ୍ତି ସରସ

ନ ମରଇ ଅଳପ ବରଷିଲ ଜଳ

ମୂଳ ପଶି ଗଭୀରେ ଉପରେ ଫଳଇ

ଭଲ ଫଳ ହେ ।।

 

ଧାନ ଚାଷ କରିବ ଯଦ୍ୟପି ସ୍ୱହସ୍ତେ

ଲାଗିଥିବ ତହିଁରେ କୁଟୁମ୍ବ ସମସ୍ତେ

ତେବେ ଧାନ ତୁମ୍ଭଙ୍କୁ ଯୋଗାଇବ ଅନ୍ନ

ଗୁତି କଲେ ସମସ୍ତ ଲାଭଟି ଖାଇ ତ

ଯିବ ଅନ୍ୟ ହେ ।।

 

ଖେତ ଥିବ ଯଦ୍ୟପି ଅତ୍ୟନ୍ତ ଉର୍ବର

ମଣିଥିବ ପ୍ରାପତ ଦେବଦତ୍ତ ବର

ଖେତ ମୁଣ୍ଡେ ପ୍ରଚୁର ରହିଥିବ ପାଣି

ମାଡ଼ୁଥିବ ଖେତକୁ ବେଳ କାଳ ଜାଣି

ଗୋତି ପୋଷି ସେ ଖେତ ଦେବ ଗ୍ରାସ ବାସ

ତା’ ନ ହେଲେ ଚାଷଟି ସମୟେ କରିବ

ସର୍ବନାଶ ହେ ।।

 

କରିଥିବ ଶରମ ଅରଥ ଖରଚ

ଉଠିଥିବ ଉତ୍ତମ ରୂପେ ଧାନଗଛ

ତହୁଁ ଯେବେ ନ ହେବ ବାରି ବରଷଣ

ଧାନ ମରି ତୁମ୍ଭର ପ୍ରାଣକୁ କରିବ

କରଷଣ ହେ ।।

***

 

ଚଣା

 

ଶରଦର ଅନ୍ତିମେ ଶାରଦୀୟ ଧାନ

ମଧ୍ୟେ ଚଣା କର୍ଦ୍ଦମେ ବୁଣିବା ବିଧାନ

ଧାନକଟା ସମୟେ ଲତା ଥାଏ ଉଠି

ବଢ଼େ ପଛେ ସ୍ୱଚ୍ଛନ୍ଦେ ଫୁଲ ଯାଏ ଫୁଟି

ମାଘ ମାସସରିକି ଫଳେ ହୋଇ ଭରା

ଫଗୁଣରେ ଦେଇ ତା’ ସ୍ୱାମୀକୁ

ତେଜଇ ବସୁନ୍ଧରା ହେ ।।

 

ଆଟ ଧାନ କାଟିଲେ ଆଟ ଚଷି ପୁଣି

ମୁଗ ବ୍ରୀହି କୋଳଥ ତହିଁ ପାର ବୁଣି

ତହିଁ ଯଦି କରିବ ନଳିତାର ଚାଷ

ଭୂମି ହେବ ସରସ ବଳଦେ ବଞ୍ଚିବେ

ପାଇ ଗ୍ରାସ ହେ ।।

 

ନଳିତାର ବକଳ ହୁଏ ଭଲ ପଟ

ବିକି ତଡ଼ିପାରିବ ଦୁର୍ଭିକ୍ଷ ସଙ୍କଟ

ଯେଉଁ ଦ୍ରବ୍ୟ ବଦଳେ ମିଳିପାରେ ଟଙ୍କା

 

 

ତାହା ଥିଲେ ଅଶନ ବସନ ଅଭାବେ

ନାହିଁ ଶଙ୍କା ହେ ।।

 

ଆଟ ଧାନେ ଅଳପ ମିଳିଥାଏ ଫଳ

ପେସୋଆରୀ ଧାନଟି ଆଟ ଧାନେ ଭଲ

କଟା ଗଛୁ ଜନମି ଫଳିଲେ ସେ ଧାନ

ବାହାଲରୁ ବଳି ସେ ଫଳଇ ଅଧିକ

ପରିମାଣ ହେ ।।

 

ସୋରିଷର ସହିତ ଚଣା ଯଦି ବୁଣ

ଦୁହେଁ ବଢ଼ି ଦିଅନ୍ତି ଫଳ ଦୁଇ ଗୁଣ

ଆଗ ପାଚି ସୋରିଷ ହୋଇଯିବ କଟା

ମାସକର ଉତ୍ତାରେ ପାଚିଣ ଶୁଖିବ

ଚଣାଲଟା ହେ ।।

 

ଖମ୍ବଆଳୁ ଶିମୁଳୀ ଆଳୁ ମୁଗଫଳୀ

ଓଲ କନ୍ଦା ମାଟିର ତଳେ ଥାଏ ଫଳି

ମକା ଆଉ ଝାଞ୍ଜଡ଼ା ହରିଣ ଗହମ

ଅଳ୍ପବୃଷ୍ଟି ହେଲେହେଁ ଫଳଇ ଉତ୍ତମ

ଏମାନଙ୍କୁ ସମୟେ କରିଥିବ ଚାଷ

ଧାନ ଯଦି ମରିବ ଏଥିରେ ନ ହେବ

ହତ-ଆଶ ହେ ।।

 

ଖମ୍ବଆଳୁ ରୋପିବ ବଇଶାଖ ମାସେ

ଖୋଳିବ ତା’ ପଉଷ ମାଘ ଯେବେ ଆସେ

ଖମ୍ବଆଳୁ ବିଲାତି ଆଳୁର ବଦଳେ

ଖାଇବାକୁ ସମସ୍ତେ ସମୟେ ଉତ୍ତମ

ରୂପେ ଚଳେ ହେ ।।

 

ଶିମୁଳୀର କଲମ ତିନି ତିନି ହାତେ

ଭୂମି ଚଷି ଉତ୍ତମ ରୋପିଦେବ ଗାତେ

ଲଗାଇବ କଲମ ଫଗୁଣ ମାସରେ

ଜଳ ରହି ନ ଦେବ ତାହାର ପାଶରେ

ଦୁଇ ହାତୁ ଅଧିକ ନ ବଢ଼ିବ ଗଛ

ଅଗ ଭାଙ୍ଗିଦେଲେ ତା ନ ବଢ଼ି ରହିବ

ହୋଇ ଘଞ୍ଚ ହେ ।।

***

 

ମୁଗଫଳୀ

 

ବାଲିଆ କି ପଥରମୟ ଯେଉଁ ଆଟ

ହଳ ବଳେ ତାହାକୁ ଚଷିଦେବ ଆଣ୍ଟ

ମୁଗଫଳୀ ରୋପିବ ଚାଖଣ୍ଡ ଅନ୍ତରେ

ମାଣକରେ କୋଡ଼ିଏ ସେରର ଭିତରେ

ଗଛ ତାର ଉଠିଲେ ଅର୍ଦ୍ଧ ହସ୍ତ ସରି

କୋଦାଳିରେ ମୂଳକୁ ତା’ ପାଖ ମାଟିରେ

ଦେବ ଭରି ହେ ।।

 

ଭଲ ମାଟି ଭିତରେ ହେଲେ ମୁଗଫଳୀ

ସେରେ ବୀଜ ଷାଠିଏ ସେରୁ ଯିବ ବଳି

ଅବରଷା ସମୟେ କରିବ ଏ ଚାଷ

ଫଳ ତାର ଆଦାୟ କରିବା ଲଗାଇ

ତିନି ମାସ ହେ ।।

 

ପାଞ୍ଚ ସେର ଫଳିଲେ ଦୁଇ ସେର ତେଲ

ପିଡ଼ିଆକୁ ବଳଦ ଖାଏ ଦୁହିଁ ବେଳ

 

 

 

 

ତେଲ ମାଖି ପାରିବ କରିପାର ପିଠା

ପିଠା ତାର ଲାଗିବ ତୁଣ୍ଡକୁ ଘୃତର

ପରି ମିଠା ହେ ।।

***

 

ଓଲ

 

ଓଲ ଅଛି ଏମନ୍ତ ଜିଭରେ ଲାଗିଲେ

ଗଲୁ ତାର ନ ଯାଏ ଜଣା ତହିଁ ତିଳେ

ସାତ ମାସେ ମିଳଇ ତାର ଭଲ କନ୍ଦ

କ୍ଷତି ତାର କରି ନ ପାରଇ ବରଷା

ହେଲେ ମନ୍ଦ ହେ ।।

***

 

ମକା

 

ଜ୍ୟେଷ୍ଠମାସେ ଗହୀରା ଜମି ଥିବ ଚଷି

ମେଘ ଦେବ ଯେ ଦିନ ଉତ୍ତମ ବରଷି

ସେହି ଦିନ ମକାକୁ ବୁଣିବ କ୍ଷେତରେ

ଧାଡ଼ି କରିଥିବ ତା’ ହାତକ ଅନ୍ତରେ

ମଞ୍ଜିମାନ ପୋତିବ ଅର୍ଦ୍ଧ ଅର୍ଦ୍ଧ ହସ୍ତେ

ତେବେ ଗଛ ସ୍ୱଚ୍ଛନ୍ଦେ ବଢ଼ିବ ଫଳିବ

ଭଲମତେ ହେ ।।

 

ମକା ଗଛ ଉଠିଲେ ଆଣ୍ଠୁ ପରିମାଣ

ମାଟି ଖୋଳି ଆବରି ଦେବ ମୂଳମାନ

ମାଟି ବଳେ ବଢ଼ଇ ହୋଇ ସେ ଉଷତ

ଉଷତରେ ସୁପୁଷ୍ଟ ଫଳହିଁ ଦିଅଇ

ଶତ ଶତ ହେ ।।

 

ଝାଞ୍ଜଡ଼ା ବା ଦେବଧାନ୍ୟ

ଦେବଧାନ୍ୟ ମାନ୍ଦ୍ରାଜିମାନଙ୍କ ସମ୍ବଳ

ଗୋରୁ ଖାଏ ତା’ ଗଛ, ନର ଖାଏ ଫଳ

ବୃଷ୍ଟି ବିନା ନ ହେଲେ ଧାନ ନୋହିଁ ତୁନି

ଦଶହରା ମାସରେ ଖେତରେ ଏ ଧାନ

ଦେବ ବୁଣି ହେ ।।

***

 

ହରିଣ ଗହମ

 

ଯେଉଁ ଭୂମି ତୁମ୍ଭର ସବୁଠୁ ଅଧମ

ତହିଁ ନେଇ ବୁଣିବ ହରିଣ ଗହମ

ମାର୍ଗଶିର ପୁଷରେ ଏହା ବୁଣିପାର

ବିଂଶ ଗୁଣ ଫଳି ସେ କରିବ ଦୁର୍ଭିକ୍ଷ

ଦୁଃଖୁଁ ପାର ହେ ।।

 

ଜେରୁସାଲେମ୍ ଆର୍ଟିଚୋକ୍

ଜେରୁସାଲେମ୍ ଆର୍ଟିଚୋକ୍ ଦିଏ ଯେଉଁ ମୂଳ

ସ୍ୱାଦୁ ତାର ମହୀରେ ଅଟଇ ଅତୁଳ

ନ ମରଇ ସେ ଗଛ ମନ୍ଦ ବରଷାରେ

ନ ଡରଇ ଅଧିକ ବର୍ଷିଲେ ରସାରେ

ମୂଳେ ତାହାର ଜଳ ନ ରହିଲେ ହେଲା

ଜଳ ଦୂରକରଣେ କଦାପି କରିବ

ନାହିଁ ହେଳା ହେ ।।

 

ଜମି ଚଷି ବୈଶାଖେ ସାଜି ଭଲ ଖତେ

ମୂଳମୁଖୀ ରୋପିବ ଦେଢ଼ ଦେଢ଼ ହସ୍ତେ

ଗଛ ହେଲେ ଆଷାଢ଼େ ଚାରିପାଖ ଖୋଳି

ମାଟି ସବୁ ମୂଳରେ ଦେବ ତାର ତୋଳି

ମାର୍ଗଶିର ମାସରେ ଗଛ ଗଲେ ଶୁଖି

ଖୋଳି ବଡ଼ ମୂଳ ତା’ ଖାଇବ, ବିହନ

ହେବ ମୁଖୀ ହେ ।।

 

ମାର୍ଗଶିରେ ରୋପିଲେ ଅଲଗା ଖେତରେ

ଜଳ ଦେବ ତହିଁରେ ମାସକରେ ଥରେ

ସମୟେ ତା’ ମୂଳର ମାଟି ଦେବ ତୋଳି

ଚଇତରେ ସେ ଗଛ ଶୁଖିଲେ ମୂଳକୁ

ନେବ ଖୋଳି ହେ ।।

***

 

କନ୍ଦମୂଳ

 

ମୂଳ ଥିବ ଜଗାଇ ଆଷାଢ଼ ଶ୍ରାବଣେ

ଲତା ବଢ଼ିଥିବ ତା’ ଜଳ ବରଷଣେ

କାର୍ତ୍ତିକରେ କରଷି ମାଳ ଅବା ଆଟ

ଧାଡ଼ି ଧାଡ଼ି ରଖିବ ଜଳ ଯିବା ବାଟ

ସେହିରୂପେ ରଖିବ ହିଡ଼ ଧାଡ଼ି ଧାଡ଼ି

ଲତା ଗଣ୍ଡି ହିଡ଼ରେ ପୋତିଲେ ବଢ଼ି ତା’

ଯିବ ମାଡ଼ି ହେ ।।

 

ଜଳ ଦେବ ତହିଁରେ ସମୟ ସମୟ

ଲତା ବଢ଼ି ଦିଶିବ ସୁପଲ୍ଲବମୟ

ପତ୍ରମାନ ପାଚିଲେ ଫଗୁଣ ଶେଷରେ

ମୂଳ ଖୋଳି ପାଇବ ପୃଥୁଳ କନ୍ଦା ତା’

ବିଶେଷରେ ହେ ।।

***

 

ଉଲି ବା ପିଆଜ

 

କାରତିକ ଅଥବା ମାର୍ଗଶିର ମାସ

ଆରମ୍ଭରେ ହଳରେ ତିନି ଚାରି କାସ

ଭୂମି ଚଷି କରିବ ଡୁହୁରି ଡୁହୁରି

କାଦ ହେବ ଗରଭ ପାଣି ଦେଲେ ପୂରି

ରୋପିଦେଲେ ବିହନ ଉଲି ସାନ ସାନ

ଧଣ୍ଡାମାନ ଉପୁଜି ତହିଁରେ ଫୁଟିବ

ଫୁଲମାନ ହେ ।।

 

ସେହି ଫୁଲ ନୟନ ମନ ଆଗେ ରଞ୍ଜି

ଖରା ଶୀତ ବାତରେ ପାଲଟିବ ମଞ୍ଜି

ବେଳେ ବେଳେ ମୂଳରେ ପାଉଥିବ ଜଳ

ମଞ୍ଜି ପାଚି ଆଗତ ନିମନ୍ତେ ବିହନ

ହେବ ଭଲ ହେ ।।

 

ଶୁଖାମାଟି ଡୁହୁରି କରି ତହିଁ ଉଲି-

ମଞ୍ଜି ପହ୍ଲା ପକାଇ ସିଞ୍ଚିଦେବ ଧୂଳି

ଧୂଳିଶୁଖା ଗୋବର ବାଲୁକା ସହିତ

ମିଶା ହୋଇଥିବାର ଅବଶ୍ୟ ବିହିତ

ତା’ ଉତ୍ତାରେ ତାହାକୁ ମାଡ଼ିଦେଇ ପାଦେ

ଜଳ ଦେଲେ କ୍ରମଶଃ ଅଙ୍କୁର ଉଠିବ

ଅପ୍ରମାଦେ ହେ ।।

 

ସେ ଅଙ୍କୁର ଉଠିଲେ ଚାରି ଛ’ ଅଙ୍ଗୁଳ

ଜଳ ଦେଇ ଉପାଡ଼ି ଦେବ ଧରି ମୂଳ

ଅନ୍ୟଠାରେ କାଦୁଅ ଡୁହୁରି ଭିତରେ

ଗୋଟି ଗୋଟି ରୋପିବ ମୁଠିକ ଅନ୍ତରେ

ବେଳେବେଳେ ମଡ଼ାଇ ଦେଉଥିବ ପାଣି

ତେବେ ଭଲ ପିଆଜ ପ୍ରଚୁର ପାଇବ

ବେଳ ଜାଣି ହେ ।।

***

 

ବାଇଗଣ

 

ଶ୍ରାବଣର ଆଦ୍ୟେ ବା ଚରମ ଆଷାଢ଼େ

ବାଇଗଣ ବୁଣିବ ଭୂମି ଚଷି ଗାଢ଼େ

ଆଶ୍ୱିନରେ ସେସବୁ ଗଛକୁ ଉପାଡ଼ି

ରୋପିଦେବ ଅନ୍ୟତ୍ର କରି ଧାଡ଼ି ଧାଡ଼ି

ଆଗୁଁ ସେହି ଭୂମିକି ଚଷିଥିବ ଭଲ

ହାତେ ହାତେ ଅନ୍ତରେ ରୋପିବ ସକଳ

ପାଣି ଦେଲେ ମୃତ୍ତିକା ଯାଉଥିବ ବସି

କୋଦାଳିରେ ଖୋଳିବ ଲଙ୍ଗଳରେ ଚଷି

ଦୁଇ ମାସେ ଧରି ସେ ଫୁଲ ସଙ୍ଗେ କଷି

ଫଳ ଦେବ ବହୁତ ନଡ଼ିଆ ବେଲକୁ

ଚାହିଁ ହସି ହେ ।।

***

 

ଲଙ୍କାମରିଚ

 

କଲେ ଲଙ୍କାମରିଚ ବାଇଗଣ ପରି

ତୋଷେ ଲମ୍ବ ପୃଥୁଳ ଫଳ ଦାନ କରି

ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ

କଟୁ ହୋଇ ରସନା ରଞ୍ଜରେ ପଟୁ

ଶାଳୀ-ଗାଳି ପରାଏ ଆଦର ତାହାର

ଘରେ ଘରେ ବ୍ୟଞ୍ଜନେ ବ୍ୟଞ୍ଜନେ ସର୍ବଦା

ବ୍ୟବହାର ହେ ।।

***

 

ଆଳୁ

 

ରଖିଥିବ ବିହନ ଭଲ ଭଲ ଆଳୁ

ଶୁଷ୍କ ଗୃହେ ମଞ୍ଚାରେ ବର୍ଷା ପୂର୍ବକାଳୁ

ଅନ୍ଧାରିଆ ସ୍ଥାନରେ ବାଲିର ଉପରେ

ପାଉଥିବ ପବନ ତହିଁ ଯେ ରୂପରେ

ବଡ଼ ଆଳୁ ସତ୍ୱର ଯାଇଥାଏ ପଚି

ଏଣୁ ବାଛି ମଧ୍ୟମ ଭଳି ଥିବ ସଞ୍ଚି

ଯେଗୁଡ଼ିକ ତହିଁରୁ ଯାଉଥିବ ସଢ଼ି

ଫିଙ୍ଗିଦେବ ସେସବୁ ଦେଖିଲା ମାତ୍ରକେ

ସେହି ଘଡ଼ି ହେ ।।

 

ଯଦି ଆଳୁ ବିହନ ନ ରଖିବ ନିଜେ

ଚାଷ ପୁଣି କରିବ ଅଙ୍କୁରିତ ବୀଜେ

ଦେଖିନେବ ଯହିଁରେ ଗଜା ଥିବ ଉଠି

ବଡ଼ ଆଳୁ ନେବାରେ ନ କରିବ ତ୍ରୁଟି

ଘର ମଧ୍ୟେ ରଖିବ ଓଦା ବାଲି ପରେ

ଅଧା ଅଧା ଥିବ ତା ବାଲିର ଭିତରେ

ବଢ଼ୁଥିବ ଅଙ୍କୁର ତମେ ବାୟୁ ପାଇ

 

 

 

ତେଣେ ଭୂମି ତିଆରି କରିବ

ଲଗାଇବାର ପାଇଁ ହେ ।।

 

ଗାଢ଼େ ଭୂମି ଚଷିବ ଆଠ ଦଶ ଥର

ମଧ୍ୟେ ମଧ୍ୟେ ତହିଁରେ ଚଳାଇ କପର

ପଚା ସଢ଼ା ଗୋବର ଅବା ଘୋଡ଼ାଲଣ୍ଡି

ଗୁଣ୍ଡ କରି ଭୂମିକି ଦେଇଥିବ ମଣ୍ଡି

ଦୁଇ ଏକ ଗଜାରେ ଆଳୁ କରି ଖଣ୍ଡ

ଲଗାଇଲେ ବିହନ ତୁମ୍ଭର ନ ହେବ

ଶ୍ରମ ପଣ୍ଡ ହେ ।।

 

ଅର୍ଦ୍ଧହସ୍ତ ଅନ୍ତରେ କରି ଧାଡ଼ି ଧାଡ଼ି

ରୋପିଦେବ ବିହନ ନବାଙ୍ଗୁଳ ଛାଡ଼ି

ଦେଖିନେବ ଦଶ କି ପନ୍ଦର ଦିନରେ

ଗଛ ଉଠି ନ ଯିବ ଖରା ପବନରେ

ଆଶ୍ୱିନର ଖରାରେ ଶୁଖିଗଲେ ମାଟି

ଭୂମି ଦେବ ଭିଜାଇ ଜଳରେ ତ୍ରିହସ୍ତେ

ବାଟ କାଟି ହେ ।।

 

ଗଛ ଯେବେ ଉଠିବ ଅର୍ଦ୍ଧହସ୍ତ ସମ

ଚାପିଦେବ ମୂଳକୁ ମାଟିରେ ପ୍ରଥମ

ଚୂର୍ଣ୍ଣକରି ପିଡ଼ିଆ ମାଟିର ଉପରେ

ସିଞ୍ଚିଦେବ ଯତନେ ଖତ ସ୍ୱରୂପରେ

ପୁଣି ଦିନା ପନ୍ଦର ଗଲେ ଥରେ ଥରେ

ଦେଉଥିଲେ ସଲିଳ ଗଛ ତା’ ଉଠଇ

ସତେଜରେ ହେ ।।

 

ଆଳୁ ଖେତ ସତତ ରହିବ ଉଶ୍ୱାସ

ଜଳ ମାଡ଼ି ନ ଯିବ ନ ଉଠିବ ଘାସ

ଜଳନାଳୀ ରଖିବ ଦୁଇ ଧାଡ଼ି ପରେ

ଭିଜୁଥିବ ମାତ୍ରକ ମୂଳ ସେ ଜଳରେ

ଆଶ୍ୱିନରେ ରୋପିଲେ ମାଘ ଫଗୁଣରେ

ଖୋଳିଦେଲେ ଆଳୁକୁ ପାଇବ ଦଶର

ଦ୍ୱିଗୁଣରେ ହେ ।।

 

ଆଖୁ କୋବି ବୋକତା ହୋଇପାରେ ଯହିଁ

ଆଳୁ ଯଦି ରୋପିବ ନିଶ୍ଚେ ହେବ ତହିଁ

ଶୁଖିଗଲେ ମୃତ୍ତିକା ଦେଉଥିବ ଜଳ

ଖୋଳିନେବ ଯେ କାଳେ ଶୁଖିଯିବ ଜଳ

ଆଳୁଚାଷ କରିବ ହୋଇ ସାବଧାନ

କ୍ଷତି ହେଲେ ତା’ ଖତ ତୁମ୍ଭଙ୍କୁ ପ୍ରଚୁର

ଦେବ ଧାନ ହେ ।।

 

ଅନ୍ୟ ସ୍ଥଳେ ରୋପିଲେ ଦେବ ବହୁ ଖତ

ଘୋଡ଼ାଲଣ୍ଡି ଦେଢ଼ଶ’ ମହଣ ପର୍ଯ୍ୟନ୍ତ

ଅବା ଜଡ଼ା ପିଡ଼ିଆ ତିରିଶ ମହଣ

ଘୋଡ଼ାଲଣ୍ଡି ତ୍ରିଗୁଣେ ଗୋମୟକୁ ଗଣ

ଏଥୁଁ ଏକ ଖତକୁ ଜମି ଏକ ମାଣେ

ଦେଲେ ଆଳୁ ହୁଅଇ ସରସ ଅଧିକ

ପରିମାଣେ ହେ ।।

***

 

କୋବି

 

କୋବି ପହ୍ଲା ବୁଣିବ ଭାଦ୍ରବ ଆଶ୍ୱିନେ

ଅର୍ଦ୍ଧହସ୍ତ ଗଭୀର ବାକସେ ବା ଟିନେ

ଭଲ ମାଟି ସହିତ ଖତ ଗୁଣ୍ଡ କରି

ଯତନରେ ଉଶ୍ୱାସେ ଆଗେ ତହିଁ ଭରି

ବୁଣିଦେବ ବିହନ ଚଉକ ଅନ୍ତରେ

ବୁଣିଦେବ ବିହନ ଚଉକ ଅନ୍ତରେ

ଢାଙ୍କିଦେବ ମୃତ୍ତିକା ପତର ଖତରେ

ରଖିବ ତା’ ପୂରବ ଦିଗ ବାରଣ୍ଡାରେ

ଅଙ୍କୁରିଲେ ଅଙ୍କୁର ପାଉଁଶ ଛିଞ୍ଚାଡ଼ି

ଦେବ ବାରେ ହେ ।।

 

ଯଦି ତହିଁ ଦେଖିବ ଗଜା ରସ ଲାଗି

ଲାଲ ଚାଣ୍ଟି ଅଥବା ପୋକ ଥିବ ଲାଗି

ପୁଣି ଦେଲେ ତହିଁରେ ପାଉଁଶ ଛିଞ୍ଚାଡ଼ି

ଚାଣ୍ଟି ପୋକ ତହିଁରୁ ପଳାଇବେ ଛାଡ଼ି

ଶୁଖିଗଲେ ମୃତ୍ତିକା ଦେଉଥିବ ଜଳ

ଦୁଇ ତିନି ଦିବସ ଅନ୍ତରେ ସେ ଜଳ

ଦେବା ଭଲ ହେ ।।

 

କୋବି-ଖେତ ଚଷିବ ଆଳୁ-ଖେତ ପରି

ଖତ ମଧ୍ୟ ସେରୂପେ ଦେଇଥିବ ଭରି

ଫୁଲକୋବି ଯେପରି ସେହିପରି ବନ୍ଧା

ଏକ ହସ୍ତ ଅନ୍ତରେ ଲଗାଇବ ମନ୍ଦା

ରୋପିଦେବ ମନ୍ଦାକୁ କରି ଧାଡ଼ି ଧାଡ଼ି

ଧାଡ଼ି ତଳ ନାଳରେ ସମୟେ ଜଳହିଁ

ଯିବ ମାଡ଼ି ହେ ।।

 

ବର୍ଷୁଥିବ ଅଳପ, ଅଥବା ବାଦଲ-

କାଳ ଦେଖି ରୋପିବ ସେ ପହ୍ଲାସକଳ

ଖରା ଯଦି କରିବ ରୋପଣର ପରେ

ଢାଙ୍କିଦେବ ସାରୁ ବା କଦଳୀପତରେ

ସାତ ଦିନ ଖରାରେ ହେବ ଆଚ୍ଛାଦନ

କରୁଥିବେ ରାତ୍ରରେ ଶୀତଳ ଶିଶିର

ଆସ୍ୱାଦନ ହେ ।।

 

ଆଳୁ ପରି କୋବିରେ ଜଳ ଦେଲେ ଚଳେ

ମୂଳ ମାଟି ଭିଜିବ ନ ବୁଡ଼ିବ ଜଳେ

ମୂଳ ମାଟି ଉପରିଭାଗ ଥିଲେ ଶୁଖି

ଜଳେ ଓଦା ହେଲେ ତା’ କୋବି ହୁଏ ସୁଖୀ

ଜଳ ଦେଲା ଉତ୍ତାରେ ସାତ ଦିନେ ଥରେ

ମାଟି ଦେଲେ ଉଶ୍ୱାସି କୋବିଏ ବଢ଼ନ୍ତି

ତରତରେ ହେ ।।

 

ଚଷି ଖେତେ ଯଦ୍ୟପି କର କୋବି ପହ୍ଲା

ଉଚ୍ଚ ହେବ ଚା’ ଖଣ୍ଡେ ଭୂମିଠାରୁ ତଳା

ବୁଣି ଦେଇ ଉପରେ ଢାଙ୍କିବ ଚାଞ୍ଚର

ଅଙ୍କୁରିଲେ ରାତିରେ ପଡ଼ିବ କାକର

ଛାଡ଼ିଦେଲେ ରଜନୀ ଦିନ ଦୁଇ ଘଡ଼ି

ବାକୀ ସାରା ଦିବସ ତହିଁରେ ଚାଞ୍ଚର

ଥିବ ପଡ଼ି ହେ ।।

 

ରଜନୀରେ ବରଷା ନ ପାରଇ ସହି

ବରଷିଲେ ଚାଞ୍ଚର ଢାଙ୍କିଦେବ ତହିଁ

ଶୁଖିଗଲେ ମୃତ୍ତିକା ଦେବ ଯଦି ଜଳ

ସେ ସମୟେ ଚାଞ୍ଚର ଉଠାଇ ଥୋଇବ

ଅନ୍ୟ ସ୍ଥଳ ହେ ।।

 

 

 

ସୋରିଷ କି ମହୁଲ ଲିମ୍ବ ଅବା ଜଡ଼ା

ପିଡ଼ିଆକୁ ମଣନ୍ତି ପୋକମାନେ କଡ଼ା

ମୂଳରେ ସେ ପିଡ଼ିଆ ଦେଇଥିଲେ ଚୂରି

ପୋକମାନେ ପକାନ୍ତି ଗଛକୁ ନ କରି

ହୁରିଜୁରି ହେ ।।

 

ଜାଳିଦିଏ ପିଡ଼ିଆ ଗଛ ଥିଲେ ସାନ

ଦେବ ଜାଣି ବଢ଼ିଲେ କୋବିଗଛମାନ

ପିଡ଼ିଆର ଗୁଣ୍ଡରେ ମିଶିଥିବ ମାଟି

ପାଇ ତାର ସୁଆଦ ବଢ଼ନ୍ତି କୋବିଙ୍କି

ଦେଲେ ବାଣ୍ଟି ହେ ।।

 

ବନ୍ଧା ଓଳ ଲୋଡ଼ନ୍ତି କାଦ ମାଟି ଖାଲି

ଫୁଲକୋବି ଲୋଡ଼ଇ ଯହିଁ ମିଶା ବାଲି

ବାଲିମାଟି ପକାଇଲେ ହୋଇ ପରଫୁଲ୍ଲ

ହୃଷ୍ଟପୁଷ୍ଟ ହୋଇଣ ବିକଶେ ସୁମିଷ୍ଟ

ସ୍ଥୂଳ ଫୁଲ ହେ ।।

 

 

 

 

ଫାଲଗୁନ ମାସରେ ଦୁଇ ଫୁଟ ପ୍ରସ୍ଥ

ଦୁଇ ଫୁଟ ଗଭୀର ଖୋଳିଦେଇ ଗର୍ତ୍ତ

ତଳ ଜମି ଉଶ୍ୱାସି ରଖି ଜଳନାଳୀ

କୋବି ଯଦି ରୋପିବ କରି ଦୁଇ ଧାଡ଼ି

ପୁଣି ଥରେ ଲାଗିବ ଯଦି କୋବି ଚାଷେ

ସୁଖେ କରି ବ୍ୟଞ୍ଜନ ଖାଇବ ବୈଶାଖ

ଜ୍ୟେଷ୍ଠ ମାସେ ହେ ।।

***

 

ପଟୋଳ

 

ଯେଉଁ ଖେତେ ପଡ଼ଇ ବଢ଼ିଜଳ ପଟୁ

ସେହି ଭୂମି ପଟୋଳ ଉତ୍ପାଦନ ପଟୁ

ତାହା ବିନା ବାଲିଆ ଖେତେ ଦେଇ ସାର

ଚଷିଦେବ ଉତ୍ତମ ଚାରି ପାଞ୍ଚ ବାର

କାର୍ତ୍ତିକରେ ତହିଁରେ ଚାରି ଚାରି ହାତ

ଛାଡ଼ିଦେଇ ଖୋଳିବ ଏକ ଏକ ଗାତ

ଗାତମାନ ରଖିବ କରି ଧାଡ଼ି ଧାଡ଼ି

ଗାତଗର୍ଭେ ପଟୋଳ ବିହନ ଦ୍ୱିଖଣ୍ଡି

ଦେବ ଗାଡ଼ି ହେ ।।

 

ପରିପକ୍ୱ ଲତାର ଗଣ୍ଠିଭାଗ ଚାହିଁ

ଖଣ୍ଡ ଖଣ୍ଡ ବିହନ ଆଣିବଟି ତହିଁ

ଚାରି ଚାରି ଆଙ୍ଗୁଳେ ହେବ ଏକ ଖଣ୍ଡ

ତାକୁ ଆଣି ରୋପିବ ସେ ଗଛ କଦାପି

ନୁହେ ପଣ୍ଡ ହେ ।।

 

ଫଳବନ୍ତ ଲତାରୁ ମିଳେ ବହୁ ଫଳ

ଅଫଳନ୍ତା ଅଳ୍ପ ରଖିଥିବା ଭଲ

ଦୁହେଁ ବହି ରହିବେ ସ୍ତ୍ରୀ-ପୁରୁଷ ଭାବ

ଏକା ସ୍ତିରୀ ଲତିକା ରହିଲେ ନ ହୁଏ

ଭଲ ଲାଭ ହେ ।।

 

ରୋପି ଗାତ ଭିତରେ କୁଟା ଦେବ ଭରି

ତହିଁ ଗାତ ଉଷୁମ ରହିବ ଯେପରି

ସିଞ୍ଚିଦେଲେ ସଲିଳ ଦ୍ୱିଦିନ ଉତ୍ତାରେ

ଉଠିଯିବ ଅଙ୍କୁର ନିଶ୍ଚୟ ଭିତରେ

ସେ ଲତାରେ ହେ ।।

 

ମାର୍ଗଶିରେ ଦେଖିବ କ୍ଷେତ୍ର ଲତାମୟ

ପୂରିଯିବ ଆନନ୍ଦେ କୃଷକ ହୃଦୟ

ସେତେବେଳେ ଭୂମିକି କୋଦାଳିରେ ଖୋଳି

ଧାଡ଼ି ଧାଡ଼ି ଚା’ଖଣ୍ଡେ ହୁଡ଼ା ଦେବ ତୋଳି

ତାହାପରେ ଫଗୁଣେ ଜଳ ଦେଲେ ଥରେ

ଫଳ ଦେବେ ସେ ଲତାସକଳ ପାଇବ

ଚଇତରେ ହେ ।।

 

ନ ଲୋଡ଼ଇ ପଟୋଳ ଅତିଶୟ ଜଳ

ଯଦି ହେବ ନାହିଁ ତା’ ଜୀବନ ବିକଳ

ଫଳ ଦେବ ପ୍ରତ୍ୟହ ପୂର୍ଣ୍ଣ ସାତ ମାସ

ନେଇପାରେ ସ୍ୱଚ୍ଛନ୍ଦେ ଚଳାଇ କୃଷକ

ଗ୍ରାସ ବାସ ହେ ।।

 

ଆଶ୍ୱିନରେ ଯଦ୍ୟପି ଚଷି କେତେ ଥର

ତୃଣ ଗୁଳ୍ବସକଳ କରିବ ଅନ୍ତର

ପୂର୍ବପରି ତାହାର ବାନ୍ଧିଦେବ ହୁଡ଼ା

ପୁଣି ଦେବ ଅଙ୍କୁର ମୂଳ ନୋହି ବୁଢ଼ା

ବୃଦ୍ଧି ଲଭି କ୍ରମଶଃ ବିକଶିତ ବଲ୍ଲୀ

ଫଳ ଦେବ ପ୍ରଚୁର ପଟୋଳ ପ୍ରଥମ

ବର୍ଷ ଭଳି ହେ ।।

 

ପଟୁ ଯଦି ନ ପଡ଼େ ଦ୍ୱିତୀୟ ବରଷ

ପଟୋଳକୁ ସେ ଭୂମି ନ ହୁଏ ସରସ

ତହିଁ ପାଇଁ ତହିଁରେ ବୁଣିଦେଲେ ଖାର

ବଢ଼ି ଲତା ପଟୋଳ ସୁଫଳ ଫଳଇ

ଭାର ଭାର ହେ ।।

***

 

କଦଳୀ

 

ଲମ୍ବ ପ୍ରସ୍ଥ ଗଭୀର ଦୁଇ ଦୁଇ ହାତ

କୁଟା ଦେବ ଜଳାଇ ଆଗେ ଖୋଳି ଗାତ

ଆଠ ହାତ ଅନ୍ତରେ ରୋପିଲେ କଦଳୀ

ଗଛ ବଢ଼ି ସତ୍ୱର ବେଗେ ଥାଏ ଫଳି

କଲେ ଜ୍ୟେଷ୍ଠ ଶେଷ ବା ଆଷାଢ଼େ ରୋପଣ

ପତ୍ର ମେଲି ଉଠଇ ଲଭି ବରଷଣ

ପୁଣି ତାହା ମୂଳରୁ ଗଜାମାନ ଉଠି

କେଣ୍ଡା କେଣ୍ଡା ସୁଫଳ ଦେବାରେ କରନ୍ତି

ନାହିଁ ତ୍ରୁଟି ହେ ।।

 

ଅଦା ଅବା ହଳଦୀ ଗଛଛାୟା ତଳେ

ଲଗାଇଲେ ଫସଲ ହୋଇଥାଏ ଭଲେ

ଏକ ଖେତେ ହଳଦୀ ଅଦା ଆଉ ରମ୍ଭା

ସାନ ବଡ଼ ମିଶ୍ରଣେ କରିଥିବେ ସଭା

ନ କରିବ କାହାରି କେହି ଅପକାର

ବାଣ୍ଟି ଖାଉଥିବେ ସେ ସଲିଳ ପାଇବେ

ଯେତେ ବାର ହେ ।।

 

ଯେତେ ଗଛେ ପାରିବ ସଲିଳ ଯୋଗାଇ

ତେତେ ଗଛ କଦଳୀ ଦେବଟି ଲଗାଇ

କଦଳୀର ନିକଟେ ଯୁଈ ଜାଈ ମଲ୍ଲୀ

ଆଉ କିଛି ସୁରଭି କୁସୁମର ବଲ୍ଲୀ

ରୋପିଦେଲେ ଏକେ ତ ପାଇବ ସୁବାସ

ଫୁଲ ମୂଲ୍ୟ ଲାଭରେ ନ ହେବ ନିରାଶ

ଫୁଲ ଗଛ ଯଦ୍ୟପି ଥରେ ଥିବ ଲାଗି

ବହୁଦିନ ଥାଇ ସେ କରିବ ତୁମ୍ଭଙ୍କୁ

ସଉଭାଗୀ ହେ ।।

***

 

ଲତା ଫଳ

 

ଜହ୍ନି ଫୁଟିକାକୁଡ଼ି କଲରା କାଙ୍କଡ଼

ବୈଶାଖରେ ବୁଣିଲେ ଲତା ହୋଇ ବଡ଼

ଆଗ ହୋଇ ପ୍ରସବିଥାନ୍ତି ବହୁ ଫଳ

ଖରାଯାଏ ଯତନେ ଯୋଗାଇପାରିବ

ଯଦି ଜଳ ହେ ।।

 

ଲତା ଲୋଡ଼େ ଆଶ୍ରୟ କବିତା ପରାଏ

ଯାହା ପାଏ ନିକଟେ ତାକୁ ଧରିଥାଏ

ଲତା ବଢ଼ି ଉଠିବ ଧରି ଯା’ର ଅଙ୍ଗ

ପୋତିଥିବ ନିକଟେ ଯେମନ୍ତେ ପାଇବ

ତାର ସଙ୍ଗ ହେ ।।

 

ଲାଉ ପାଣିକଖାରୁ କଖାରୁ ଏମାନ

ବଡ଼ ଫଳ ଦିଅନ୍ତି ବ୍ୟାପି ବହୁ ସ୍ଥାନ

ଗୃହ ଛାଦ ପାଇଲେ ନ ପାରନ୍ତି ଛାଡ଼ି

ପାଇଗଲେ ପ୍ରଶସ୍ତ ମଣ୍ଡୁଆ ପ୍ରସରି

ଯା’ନ୍ତି ମାଡ଼ି ହେ ।।

***

 

ଧନିଆ ଆଡ଼ି

 

ଜିରା ଆଉ ଧନିଆ କର କି ନ ଚାଷ

ତହିଁ କିଛି ଅଧିକ ନ ଲାଗେ ଆୟାସ

କରିଥିବ ତାହାଙ୍କ ପଡ଼ୋଶୀ ଜୁଆଣି

ବୁଣିଦେଲେ ଅଧିକ ନ ମାଗନ୍ତି ପାଣି

ଆଗ ଯୁଗ ସରସ କରିବେ ବ୍ୟଞ୍ଜନ

କରିଦେବ ଶେଷଟି ଅଜୀର୍ଣ୍ଣ ବିକାର

ବିଭଞ୍ଜନ ହେ ।।

***

 

ମୁଗ

 

ଭାଦ୍ର ଆଦ୍ୟେ ଆଟକୁ ଚଷିଦେବ ଥରେ

ମରିଯିବ ଯେ ଗଛ ଥିବ ସେ ଆଟରେ

ଭାଦ୍ର ପ୍ରାନ୍ତେ ପୁନଶ୍ଚ ତିନି ଚାରି ମାସ

ଚଷି ମୁଗ ବୁଣିଲେ କୃଷକ ସୁଫଳେ

ଥିବ ଆଶ ହେ ।।

 

ଢାଙ୍କିଦେବ ବିହନ ଚଷି ପୁଣି ଥରେ

ଚଳାଇବ କପର ତହିଁର ଉପରେ

ସାତ ଆଠ ହାତରେ ଲଙ୍ଗଳର ଗାର

ଦେବ ତହିଁ ତଳକୁ ନିଃସରି ପଡ଼ିବ

ବୃଷ୍ଟିଧାର ହେ ।।

 

ବୁଣାବେଳେ ମୃତ୍ତିକା ଥିବ ଜଳହୀନ

ନ ବର୍ଷିବ ତା’ ପରେ ତିନି ଚାରି ଦିନ

ଗଛ ହେବ ଚାରି ଛ’ ଆଙ୍ଗୁଳ ଅନ୍ତରେ

ନିଶ୍ଚେ ମୁଗ ପୁଡ଼ୁଗ ବାନ୍ଧିବ କୃଷକ

ସେ ବତ୍ସରେ ହେ ।।

 

ଆଠ ଦଶ ଦିବସ ଅନ୍ତରେ ବରଷା

ହେଉଥିଲେ ମୁଗରେ ରଖିବ ଭରସା

ଅତି ବରଷଣ କି ଅତି ବରଧନ

ହେଲେ ଗଛ କରଇ ଫଳର ଆଶାକୁ

ମରଦନ ହେ ।।

 

ଦୁଇ ତିନି ବରଷ ଉତ୍ତାରେ କାକର

ଖାଇ ଗଛ ହୁଅଇ ଫଳଇ ଆକର

ଫଳସବୁ ଶୁଖିଲେ ଗଛକୁ କଢ଼ାଇ

ଶୁଖାଇଣ ଖରାରେ ଖଳାରେ ମଡ଼ାଇ

ଦେଲେ ଡାଳ ପତର ଭାଙ୍ଗିବ ସକଳ

ସବୁ କଲେ ଅନ୍ତର ତଳରେ ରହିବ

ମାତ୍ର ଫଳ ହେ ।।

***

 

ବ୍ରୀହି ଆଦି

 

ମୁଗବୁଣା ନିୟମେ କିଛି ଦିନ ଆଗ

କହିଥାନ୍ତି କୃଷକେ ବ୍ରୀହି ବୁଣା ପାଗ

ବ୍ରୀହି ସଙ୍ଗେ କୋଳଥ ବୁଣିଥିବ ରାଶି

ଦେଖିଥିବ ଯେମନ୍ତେ ବରଷା ପାରିବ

ନାହିଁ ଗ୍ରାସି ହେ ।।

 

ମୁଗ ସମେ ସୋରିଷ ଚଷା ଭାଇ ବୁଣ

ଫୁଲେ ନେତ୍ର ତୋଷିବ ଫଳି ବହୁ ଗୁଣ

ଜଡ଼ା ବୋଲେ ସୋରିଷ ସଙ୍ଗେ ଜନମିବି

ବଡ଼ ହୋଇ ଫଳିବି ତାଠାରୁ ହୋଇଣ

ଦୀର୍ଘଜୀବୀ ହେ ।।

***

 

ଗହମ

 

ବର୍ଷା ଶେଷ କରିବ ଗହମର ଚାଷ

କୂପଜଳ ଉପରେ ତା’ ଜୀବନ ଆଶ

ଫଳିଥାଏ ଗହମ ଧାନଠାରୁ ବଳି

ହେଲେ ଧାନ ମରୁଡ଼ି ଗହମ ଖାଦ୍ୟରେ

ଯିବ ଚଳି ହେ ।।

 

ବାଲିମିଶା ଭୂମିକି ଚଷି ବାରମ୍ବାର

ବାଟ ଥିବ ଲାଗିବାପାଇଁ ଜଳଧାର

ଦିନ ଦଶ ପନ୍ଦରେ ଦେଉଥିଲେ ଜଳ

ତିନି ଚାରି ମାସରେ ଗହମ ପ୍ରଚୁର

ଦେବ ଫଳ ହେ ।।

 

ଭଲ ଖାଦ୍ୟ ହୁଅଇ ଗହମ ଅଟାରେ

ଚାଉଳର ଚୂନାକୁ ବଳେ ସେ ମିଠାରେ

ରୁଟି କରି ଖାଇଲେ କି ଧନୀ ଗରିବ

ଦୁର୍ଭିକ୍ଷର କବଳୁ ନିଶ୍ଚୟ ତରିବ

 

 

 

ପୁରି ଲୁଚି ହାଲୁଆ ମୋହନଭୋଗରେ

ବାବୁମାନେ ଚଳିବେ ନବାତ ଘିଅର

ସଂଯୋଗରେ ହେ ।।

***

 

ସାରୁ ଆଦି

 

ସାରୁ ଅଦା ହଳଦୀ ପାଳୁଅ ବିହନ

ଭୂମି ଚଷି ଆଷାଢ଼େ ରୋପିବ ବହନ

ଅନୁମାନି ରଖିବ ତାହାଙ୍କ ଅନ୍ତର

ଘଞ୍ଚ ଯେହ୍ନେ ନ ହେବ କନ୍ଦା କି ପତର

ଗଛମାନ ଯେମନ୍ତ ହେବ ଧାଡ଼ି ଧାଡ଼ି

ଜଳ ମଧ୍ୟ ମୂଳରେ ନ ବସିବ ମାଡ଼ି

ମାଟି ଖୋଳି ଚଢ଼ାଇ ଦେଇଥିବ ମୂଳେ

ଘାସ କାଢ଼ି ଫୋପାଡ଼ି ଦେଉଥିବ ଦୂରେ

ତିନି ମାସ ଉତ୍ତାରେ ପାଚିଲେ ପତର

ଖୋଳିନେଲେ କୃଷକ ତା’ ମୂଳ ପାଇବ

ବହୁତର ହେ ।।

 

ବରଗୁଡ଼ି ଝୁନୁଙ୍ଗା ବରଷାର ଆଦ୍ୟେ

ଜନ୍ମ ଲଭି ଫଳର ବର୍ଷା ଶେଷ ପାଦେ

ମଧ୍ୟେ ତାକୁ ବିହୁଡ଼ି ଘାସ କଲେ ଦୂର

ଲମ୍ବି ଶାଖା ପ୍ରଶାଖା ଫଳଇ ପ୍ରଚୁର

ସାନ ବଡ଼ ହୋଇ ସେ ଦୁହେଁ ଦୁଇ ଜାତି

 

 

କିନ୍ତୁ ସମ ସମୟେ ସମାନ ମାଟିରେ

ହୋଇଥାନ୍ତି ହେ ।।

 

ଶ୍ରାବଣରେ ଗୁଆର-ଶିମ୍ବ ଥିଲେ ଲାଗି

ରସନାରେ କୁମାର ପୂର୍ଣ୍ଣିମାକୁ ଲାଗି

କରିଥାଏ ମୁଖର ତୋଷ ସମ୍ପାଦନ

ହରିଥାଏ ଉଦରଜ୍ୱାଳାହିଁ ସଙ୍ଗରେ

ଘେନି ଅନ୍ନ ହେ ।।

***

 

କାଉଁରିଆ

 

କାଉଁରିଆ ଚାଷରେ ଅଛି ବହୁ ଲାଭ

ପଟ ତାର ଘୁଞ୍ଚାଏ ଅନେକ ଅଭାବ

ଉଚ୍ଚ ଆଉ ପଥରମୟ ଯେଉଁ ସ୍ଥାନ

ଭଲରୂପେ ବଢ଼ଇ ତାହା ଗଛମାନ

ଏକ ଏକ ଏକରେ ବାର ତେର ସେର

ମଞ୍ଜି ଦେଲେ ପ୍ରଫୁଲ୍ଲେ ବଢ଼ଇ ପ୍ରସାରି

ତଳେ ଚେର ହେ ।।

 

ବଇଶାଖ ଜ୍ୟେଷ୍ଠରେ ଭୂମି ଚଷି ଭଲ

ମଞ୍ଜି ବୁଣି ତହିଁରେ ଦେଉଥିବ ଜଳ

ବରଷାର କାଳକୁ ଅର୍ଦ୍ଧହସ୍ତ ସମ

ଗଛ ଥିଲେ ବୃଷ୍ଟିରେ ବଢ଼ଇ ଉତ୍ତମ

ଯେତେବେଳେ ସୁନ୍ଦର ଦିଶିବ ସେ ଫୁଲେ

ଜଳେ ଦେବ ବୁଡ଼ାଇ କାଚିଣ ଗଛର

ଚୂଳେ ମୂଳେ ହେ ।।

 

ସାତ ଆଠ ଦିବସେ ସଢ଼ିଗଲେ ଜଳେ

ପାଟମାନ କାଢ଼ିବ ଧରିଆଣି ସ୍ଥଳେ

ଗୋଛା ଗୋଛା କରି ତା’ ଜଳେ ଧୋଇ ଧୋଇ

ଶୁଖାଇବ ତପନ-କିରଣରେ ଥୋଇ

ଶୁଖି ହେବ କୋମଳ ଉଜ୍ଜ୍ୱଳ ଧବଳ

ସିକା, ଜୁତା, ଦଉରା, ବୁନ୍ଧୁଆ ଯା’ କର

ହେବ ଭଲ ହେ ।।

 

ବିଡ଼ା ବିଡ଼ା ବାନ୍ଧି ଯା’ କରିବ ବିକ୍ରୟ

ମୂଲ୍ୟ ତାର ବହୁତ ମିଳିବ ନିଶ୍ଚୟ

ପଟ ବିକି ସମୟେ ପିନ୍ଧିପାର ପାଟ

ପାଟ ହେଲେ ମନରେ ବଢ଼ଇ ଉଚ୍ଚାଟ

ଚଷା ଭାଇ ପାଟକୁ ନ କରିବ ମନ

କପା ଧୋତି, ବରଖୀ କିଣିବ ସ୍ୱଦେଶୀ

ସୁବସନ ହେ ।।

 

କିଛି ଗଛ ତହିଁରୁ ରଖିବ ବିହନ

ଫୁଲ ବେଳେ ତାକୁ ନ କାଟିବ ବହନ

ଫଳ ହୋଇ ସକଳ ଯିବ ଯେବେ ପାଟି

ମୂଳ କାଟି ରଖିବ ମଞ୍ଜି ବାଛି ବାଛି

 

 

 

ମୂଳ କାଟି ପଟକୁ କରିବ ଅନ୍ତର

ସଢ଼ାଇଣ ତା’ ଗଛ ଦିବସ ପନ୍ଦର

କି ସତର ହେ ।।

***

 

ଛଣ

 

ଛଣ ଦିଏ ଯେପରି ସରୁ ସରୁ ପଟ

ଚାଷେ ମଧ୍ୟ ତାହାର ବେଶି ନାହିଁ କଷ୍ଟ

କାଉଁରିଆ ଅପେକ୍ଷା ବେଶି ତାର ମୂଲ୍ୟ

କୁସଂସ୍କାର ତାହାର ଅଛି ପ୍ରତିକୂଳ

ନ କରନ୍ତି ସେ ଚାଷ ଲୋକେ ନୀଚ ମଣି

ଯେ କରିଛି ସହଜେ ସୁନ୍ଦର ଆଣୁଛି

ଟଙ୍କା ଗଣି ହେ ।।

***

 

କପା

 

ସବୁ ଚାଷ ସମାନ ଏକା କପା ଚାଷ

କପା ବିନା ଲୋକଙ୍କୁ ନ ମିଳଇ ବାସ

ଖାଦ୍ୟ ବିନା ମାନବ ଦୁଇ ଚାରି ଦିନ

ବଞ୍ଚିପାରେ, ନ ପାରେ ମୁହୂର୍ତ୍ତେ ହୋଇ

ସେ ବାସହୀନ ହେ ।।

 

ଭାରତକୁ କାର୍ପାସ ପଳାଇଛି ଛାଡ଼ି

ନ ପାରିଲା ଦେଇ ସେ ବିଦେଶକୁ ଧାଡ଼ି

କପାଚାଷ ସ୍ୱଦେଶେ ନ ପାରିଲେ କରି

ଭାବି ଦେଖ ଭାଇ ହେ ସମୟେ ହେବ ତ

ପଶୁ ସରି ହେ ।।

 

ହୁଏ ଯଦି ‘‘ଈଶ୍ୱର ନ କରନ୍ତୁ ତାହା’’

ଜର୍ମାନୀର ଉତ୍ପାତେ ଘଟିଅଛି ଯାହା

ତହୁଁ ବଳି ଆସିବ ଭୀଷଣ ବିପଦ

ବିଦେଶର ଜାହାଜ ହୋଇଯିବ ବନ୍ଦ

ମିଳିବ କି ଭାରତନିବାସୀଙ୍କି ବାସ

 

 

 

କେତେ ଦିନ ବଞ୍ଚିବ ଅନ୍ଧାର କୋଣରେ

କରି ବାସ ହେ ।।

 

ପିନ୍ଧି କି ହେ ପାରିବ ପଶୁଙ୍କ ଚରମ

ଅବା ନେବ କି କୁମ୍ଭ-ପଟିଆ ଧରମ

ବସିଥିଲେ କି ହେବ ଟଙ୍କାମୁଣା ଧରି

ଅବା ନୋଟ କାଗଜେ ବେଗ୍‌ମାନ ଭରି

କରି ଯଦି ନ ପାର କପା ଉପାର୍ଜନ

କରିଥାଅ ଆଗହୁଁ ସଭ୍ୟତା ଭବ୍ୟତା

ବିସର୍ଜନ ହେ ।।

 

ବସିଥିଲେ ବାବୁଏ ମଉଜେ ଆରାମେ

କପା ଦେଖା ନ ଦେବ କୃଷକଙ୍କ ଗ୍ରାମେ

ଦେଶୀ କପା କୃଷିରେ ବେଶି ନାହିଁ ଲାଭ

ତହିଁ ପୁଣି ତା’ ଭଳି ଭୂମିର ଅଭାବ

ବିଦେଶୀୟ କପାରେ ସରଜି ସଙ୍କର

ଭଲ ଭଲ କପାର ଉନ୍ନତି ସାଧନ

ବେଗେ କର ହେ ।।

 

 

ଦେଶୀ କପା ମଧ୍ୟରେ ସବୁଠାରୁ ଭଲ

ଦେବ କପା ସ୍ୱନାମ କରିଛି ସଫଳ

ତା’ ତୂଳାର ସୂତା ହିଁ କୋମଳ ସରସ

ଗଛ ବଞ୍ଚେ ଦଶରୁ ପନ୍ଦର ବରଷ

ତାକୁ ଯଦି ଲଗାଇ ଦେଇପାର ଥରେ

ଯତନରେ ରଖିଲେ ସୁଫଳ ଲଭିବ

ନିଶ୍ଚିନ୍ତରେ ହେ ।।

 

ଚାରିମାସ ଆଗରୁ ଭୂମି ବାରମ୍ବାର

ଚଷିଥିଲେ ମାଟିହିଁ ହୋଇଥାଏ ସାର

ଖତ ଯଦି ଦେବ ସେ ଲୋଡ଼ିଥାଏ ଖାର

ସଢ଼ା ଘାସେ ବଳ ତ ବଢ଼ିଥାଏ ତାର

ପହ୍ଲା ଥିବ ଲଗାଇ ବଇଶାଖ ମାସେ

ଚାରି ଚାରି ହାତରେ ରୋପିବ ବରଷା

କାଳ ପାଶେ ହେ ।।

 

ଚୂନ ହାଡ଼ଗୁଣ୍ଡ କି ହାଡ଼ର ଉଷମ

ଖତ ହୁଏ କପାର ନିମନ୍ତେ ଉତ୍ତମ

ଯେ ଭୂମିରେ ଅଧିକ ଭାଗ ଥାଏ ଚୂନ

 

 

ହୋଇଯାଏ ଅଧିକ ସରସ ସେ ଖେତେ

ଦେଲେ ଲୁଣ ହେ ।।

 

କର ଯଦି ଅନୁଚ୍ଚ ସାନ କପା ଚାଷ

ଚଷିଥିବ ଭୂମିକି ତିନି ଚାରି କାସ

ବୁଣିଦେବ ମଞ୍ଜିକି ଦେଢ଼ ଦେଢ଼ ହାତେ

ଧାଡ଼ି ଧାଡ଼ି ସଳଖେ ତିନି ଇଞ୍ଚ ଗାତେ

ଜ୍ୟେଷ୍ଠ ମାସ ଶେଷରେ ବରଷାର ଆଗେ

ଜଳ ରହି ନ ଦେବ କାର୍ପାସ ଖେତରେ

ଗଛଲାଗେ ହେ ।।

 

ଖାଲି ରଖି ନ ଦେବ ଦେବ କପାତଳ

ମୁଗଫଳୀ ତହିଁରେ ହୋଇଥାଏ ଭଲ

ଭୂମି ହୁଏ ସରସ ମରି ସଢ଼େ ଘାସ

ଲାଭ ଦେବ ଗୋଟିଏ ଖେତେ ଦୁଇ ଚାଷ

ଆଦ୍ୟ ଦୁଇ ବରଷ ହୋଇଗଲେ ଗତ

ତୃତୀୟରେ ଲାଗିବ ପଡ଼ିଆ ଗୋବର

ସଢ଼ା ଖତ ହେ ।।

 

 

 

ସବୁଠାରୁ ‘ସି-ଆଇଲାଣ୍ଡ’ କପା ଭଲ

କର ତାକୁ ସ୍ୱଦେଶୀ ରଚି କଉଶଳ

ଦେବ କପା ସଙ୍ଗରେ ପାରିଲେ ମିଶାଇ

ଦୁହେଁ ଦେବେ ସୁଫଳ ସ୍ୱକୀୟ ସୁଗୁଣ

ଅନୁଯାୟୀ ହେ ।।

 

ଯେତେବେଳେ ଗଛରେ ଉପୁଜିବ ଫୁଲ

କାଟିଦେବ ତାହାର ପୁଂକେଶରମୂଳ

ହେଲେ ଅନ୍ୟ ଗଛରେ ପୁଷ୍ପ ବିକଶିତ

ପୁଂକେଶର ପରାଗ ମହୁରେ ମିଶ୍ରିତ

କରିଦେବ ଅନ୍ୟର ଗରଭକେଶରେ

କରିଥିବ ବିନାଶ ଯାହାର ଫଳକୁ

ପ୍ରଥମରେ ହେ ।।

 

ଏହି ସୂତ୍ରେ ଘେନି ସେ ପରସ୍ପର ଗୁଣ

ଭଲ ଫଳ ପ୍ରଦାନେ ହୁଅନ୍ତି ନିପୁଣ

ଚାରି ପାଞ୍ଚ ବରଷ ବାଛି ତାର ମଞ୍ଜି

ଚାଷ କଲେ ନିକୃଷ୍ଟ କପାରେ ନ ହେବ

ଆଉ ଗଞ୍ଜି ହେ ।।

***

 

ପାନ

 

ପୂରିଲାଣି ଏ ଦେଶ ପର୍ଣ୍ଣସେବୀ ଲୋକେ

ଶୁଭ୍ରଦନ୍ତ କେବଳ ରହିଛନ୍ତି ଥୋକେ

ଚଷାଘରୁ ଆରମ୍ଭି ରାଜ-ଦରବାର

ସବୁଠାରେ ରହିଛି ପୂର୍ଣ୍ଣ ଅଧିକାର

ଗେଙ୍ଗୁଟିର ପାଉଁଶ ସୁବର୍ଣ୍ଣର ଚୂର୍ଣ୍ଣ

କରୁଛନ୍ତି ସାଦରେ ପର୍ଣ୍ଣର ପବିତ୍ର

ତନୁ ପୂର୍ଣ୍ଣ ହେ ।।

 

ରମ୍ଭାପତ୍ର ଆରମ୍ଭି ସୁବର୍ଣ୍ଣ ବାସନ

ନାନାକାରେ ହୁଅନ୍ତି ପର୍ଣ୍ଣର ଆସନ

ପାନ ଧରି ହାଟକୁ ଚାଲଇ ହାଟୁଆ

କେହି ଜାକେ କାଖରେ ପାନର ବଟୁଆ

ବାବୁମାନେ ଚାଲନ୍ତି ପାନ ଧରି ଯେବେ

ଗଲେ ବନ୍ଧୁଘରକୁ ବାନ୍ଧବ ସମ୍ମାନେ

ପାନ ଦେବେ ହେ ।।

 

ପାନ ପ୍ରତି ରହିଛି ସମସ୍ତଙ୍କ ଆଶ

କରୁଛନ୍ତି ଅଳପ ଲୋକ ତାର ଚାଷ

 

 

କର ଭାଇ ସତ୍ୱର ପାନର ବରଜ

ଟଙ୍କା ତହିଁ ହଜାର ହଜାର ଅରଜ

କର ଯଦି ବରଜ ଭୂମି ଏକ ମାଣେ

ଲାଭ ହେବ ବର୍ଷକେ ହଜାରୁ ଅଧିକ

ପରିମାଣେ ହେ ।।

 

ଥରେ ଯଦି କରିବ ପାନର ବରଜ

ବିଂଶ ବର୍ଷ ନ ହେବ ଲତାର ହରଜ

ମଧ୍ୟେ ମଧ୍ୟେ ବରଜ କରି ମରାମତ

ବରଷକୁ ବରଷ ଦେଉଥିବ ଖତ

ସୁକୁମାରୀ ବଲ୍ଲରୀ ସହେ ନାହିଁ ଖରା

ଛାଇଥିବ ବରଜ ପା’ ତଳେ ଦିଶିବ

ଯେହ୍ନେ ତରା ହେ ।।

 

ମାଟି ଥିବ ଦୋମିଶା ବରଣ କାଳିଆ

ଅବା ବାଲି ମିଶ୍ରିତ ସରସ ନାଲିଆ

ଜମି ରହୁ ନ ଥିବ ବରଷାର ଜଳ

ଗ୍ରୀଷମରେ ସଜଳ କରୁଥିବ ତଳ

ତହିଁ ପାଇଁ ନିକଟେ ଥିବ ଜଳାଧାର

ନାଗବଲ୍ଲୀ ସଲିଳବିହୀନେ ନ ସହେ

କାରାଗାର ହେ ।।

 

ଘାସ ଗୁଳ୍ବ ଭୂମିରୁ ଉପାଡ଼ି ସକଳ

ଦହିଦେବ ଶୁଖିଲେ ଲଗାଇ ଅନଳ

ଖୋଳିଦେଲେ ଭୂମିକି ଟେଳା ହେବ ରୁଣ୍ଡ

ଭାଙ୍ଗି ଭାଙ୍ଗି ଟେଳାକୁ କରିଦେବ ଗୁଣ୍ଡ

ଏ ମୁଣ୍ଡରୁ ସେ ମୁଣ୍ଡ ହେବ ସମତଳ

ବହିଯିବ ଯେମନ୍ତେ ତହିଁରେ ଲଗାଇ

ଦେଲେ ଜଳ ହେ ।।

 

ସାତ ହସ୍ତ ବାଉଁଶ ଛଅ ଛଅ ହାତେ

ପୋତି ଠିଆ କରିବ ଦୁଇ ହାତ ଗାତେ

ଚଉଦିଗେ ଉପରେ ଦେବ ଖଡ଼ ତାଟି

ଅବା ଦେବ ସଜାଇ ଧଣ୍ଡିଚାର କାଠି

ଚିରି ଚିରି ବାଉଁଶ କରି ଖାଡ଼ି ଖାଡ଼ି

ଗାଡ଼ିଦେବ ହାତକେ ହାତକ ଦ୍ୱିହସ୍ତେ

ଧାଡ଼ି ଧାଡ଼ି ହେ ।।

 

 

 

ପାଞ୍ଚ ପାଞ୍ଚ ଗଣ୍ଠିରେ ପାନ ଲତା କାଟି

ତିନି ତିନି ଗଣ୍ଠିରେ ଢାଙ୍କିଦେବ ମାଟି

ଢାଙ୍କିଦେବ ତାହାକୁ ଖଜୁର ପତରେ

ଶୁଷ୍କ ଥିଲେ ସଲିଳ ସିଞ୍ଚିଦେବ ଥରେ

ଲତାମାନ କ୍ରମଶଃ ହେଲେ ଅଙ୍କୁରିତ

ଢାଙ୍କିଥିବା ଖଜୁର ପତର କରିବ

ଅନ୍ତରିତ ହେ ।।

 

କ୍ରମେ କ୍ରମେ ଅଙ୍କୁର ଯାଉଥିବ ବଢ଼ି

ବାଉଁଶର ଖାଡ଼ିକି ଯାଉଥିବ ଚଢ଼ି

ଖଣ୍ଡ ଖଣ୍ଡ ପନାସି ତୃଣେ ହୋଇ ବନ୍ଦୀ

ଉଠୁଥିବ ଉର୍ଦ୍ଧ୍ୱକୁ ଖାଡ଼ି ଖାଡ଼ି ଛନ୍ଦି

ଯେତେବେଳେ ଛୁଇଁବ ଉପର ଛାଉଣି

ଦେବ ତାକୁ ନୁଆଇଁ ତଳକୁ ଛୁଇଁବାଯାଏ

ପୁଣି ହେ ।।

 

ତଳ ଛୁଇଁ ପୁନଶ୍ଚ ଉଠିବ ସେ ଚୂଳେ

ମାଟି ମନ୍ଦା ଚଢ଼ାଇ ଦେବ ଅନ୍ୟ ମୂଳେ

ପାଚିଗଲେ ସେ ଅନ୍ୟ ମୂଳର ପତର

ତିନି ଅବା ଚାରୋଟି କରିବ ଅନ୍ତର

ବାରମ୍ବାର ହୁଏ ତା ଉତ୍‌ଥାନ ପତନ

ଶାଖାମାନ ବିହନ ହୁଅନ୍ତି କରିଲେ

କରତନ ହେ ।।

 

ପୁଷ୍କରିଣୀ ଯେ କାଳେ ଯାଇଥାଏ ଫାଟି

ଆଣିଥିବ ତହିଁରୁ ଶୁଖା ପଙ୍କ ମାଟି

ଇଟା ଆଉ ଗେଙ୍ଗୁଟି କରିଥିବ ଗୁଣ୍ଡ

ସୋରିଷର ପିଡ଼ିଆ ତହିଁ କରି ରୁଣ୍ଡ

ତଳେ ପଡ଼ି ଉଠିବା ସମୟରେ ଲତା

ସେହି ଖତ ପାଇଲେ ବଢ଼ଇ ସମ୍ପାଦି

କୁଶଳତା ହେ ।।

 

ଯେତେବେଳେ ଖରାରେ ଶୁଖିଯିବ ତଳ

ମୂଳେ ମୂଳେ ଢାଳିବ କଳସୀରେ ଜଳ

ମୂଳ ଉଚ୍ଚ ଅଙ୍ଗରେ ଯାଉଥିବ ପାଣି

ତଳେ ଜଳ ମଡ଼ାଇ ଦେଲେ ବି ନହୁଏ

କିଛି ହାନି ହେ ।।

 

ଧସା ରୋଗ ଅଥବା ପୋକ ହେଲେ ପାନେ

ଘସି ଧୂଆଁ ପାଇଲେ ପଳାନ୍ତି ସେମାନେ

ଘସି ନିଆଁ ଉପରେ ପାତ୍ରରେ ଗନ୍ଧକ

ଦେଲେ ହୁଏ ରୋଗର ସେ ପ୍ରତିବନ୍ଧକ

କାର୍ତ୍ତିକରେ ଲଗାନ୍ତି ପାନର କଲମ

ପାର ଯଦି ଶ୍ରାବଣେ ଲଗାଇ ତହିଁରୁ

ସେ ଉତ୍ତମ ହେ ।।

 

ଦେଖ ଏକ ଏକର ଖେତେ ପାନଚାଷେ

ଅର୍ଦ୍ଧକୋଟି ପତର ହେବ ବାର ମାସେ

ହଜାରକୁ ଯଦ୍ୟପି ହେବ ପାଞ୍ଚ ଅଣା

ଏକ ଲକ୍ଷେ ଅନ୍ତତଃ ତ୍ରିଂଶ ଟଙ୍କା ଗଣା

ବିକିପାର ପଞ୍ଚାଶ ଲକ୍ଷ ଯେବେ ପାନ

ଠନ୍ ଠନ୍ ହଜାରେ ପାଞ୍ଚଶ’ ଟଙ୍କାଟି

ଗଣି ଆଣ ହେ ।।

 

ଚାରି ଶତ ଖରଚ ଟଙ୍କା ଯେବେ ଧର

ତେବେ ଲାଭ ତୁମ୍ଭର ହଜାରୁ ଉପର

ଭଲ ପତ୍ର ଅଧିକ ମୂଲ୍ୟ ନାଗବଲ୍ଲୀ

ହେଲେ ଲାଭ ତହିଁରୁ ନ ଯିବ କି ବଳି

ସ୍ଥାନ କାଳ ବିଚାରି କଲେ ପରିଶ୍ରମ

 

 

ପୋଷି ପାଞ୍ଚ ନିଜର କୁଟୁମ୍ବ ପୋଷଣେ

ହେବ କ୍ଷମ ହେ ।।

 

ଅତି ଖରା ‘କରା’ରେ ନାଶ ହୁଏ ପାନ

ହୋଇପାର ଖରାର ପାଇଁ ସାବଧାନ

ଉପାୟକୁ ତୁମ୍ଭର ‘‘କରା’’ ଗଲେ ବଳି

ନ ଭାଜିବ ଦଇବ ସର୍ବତ୍ର ସର୍ବଦା

ଅତି ବଳୀ ହେ ।।

 

ପାନ ହେଲେ ଅଳପ ବଢ଼ଇ ତା’ ମୂଳ

ଲାଭ ଦିଏ ଦଇବ ହୋଇ ପ୍ରତିକୂଳ

ଶୁଭମୟ ବିଧିର କର୍ମ ସମୁଦାୟ

ଗାଳିଦିଏ ମାନବ ନ ବୁଝି ବିଧିର

ଅଭିପ୍ରାୟ ହେ ।।

 

ମୂଳା ଭାଜି ଅନେକ କୃଷି ଅଛି ରହି

ଗୋଟି ଗୋଟି କରି ତା’ କେତେ ହେବ କହି

ଫଳ ମୂଳ ସକଳ ଅବନୀରୁ ଜାତ

ହେବ ମାତ୍ର ଲୋଡ଼ିଲେ କୃଷିବିଧି ଜ୍ଞାତ

କଲେ ତାହା ଯତନେ ହେବ ଉପାର୍ଜନ

ନ ପଚାରି ନ କରି ରହିବା ଲୋକଟି

ଅଭାଜନ ହେ ।।

 

କରିଥିବ କୃଷକ ଗୋଟିଏ ଉଦ୍ୟାନ

ରୋପିଥିବ ବିବିଧ ଫଳବୃକ୍ଷମାନ

ରୋପିଥିବ ଅଥବା କରି ଇତସ୍ତତଃ

ନିଜ ଖେତେ ଯେମନ୍ତ ଥିବ ସେ ସମସ୍ତ

ବୃକ୍ଷମାନେ କରନ୍ତି ନାନା ଉପକାର

ଫଳ ତାଙ୍କ ଉଦର ଯନ୍ତ୍ରଣା ନାଶନେ

ଉପଚାର ହେ ।।

 

ଆମ୍ବ ଲେମ୍ବୁ ପଣସ ବଢ଼ିଆଳ ବେଲ

ରସାଞ୍ଜନ ମହୁଲ ମାୟା ନାରୀକେଳ

ରୋପିଥିଲେ ଏ ଆଦି ପାଦପ ସକଳ

ସମୟରେ ତୁମ୍ଭଙ୍କୁ ଦେଉଥିବେ ଫଳ

ଫଳ ଖାଇ ଖୁଆଇ ଅରଜିବ ଧନ

ଆଉ ମଧ୍ୟ କରିବ ଭୂମିର ସାରସ୍ୟ

ସମ୍ପାଦନ ହେ ।।

 

 

 

ପତ୍ରମାନ ତାଙ୍କର କ୍ଷେତ୍ରେ ପଡ଼ି ପଡ଼ି

ଖତ ହେବ ବରଷା ସଲିଳରେ ସଢ଼ି

ଚେରସବୁ ଗଭୀର ତଳୁ ରସ ଟାଣି

ଯୋଗାଇବ ଉପର ମୃତ୍ତିକାକୁ ଆଣି

ଗ୍ରୀଷ୍ମବେଳେ ତଳକୁ କରିବେ ଶୀତଳ

ଶୀତବେଳେ କାକର ନିବାରି ଭାଙ୍ଗିବେ

ଶୀତବଳ ହେ ।।

 

ରୋପିଥିବ ପୂର୍ବରୁ ହୋଇ ସାବଧାନ

ଅଙ୍ଗ ଅନୁରୂପରେ ଥିବ ବ୍ୟବଧାନ

କରିଥିବ ଏମନ୍ତ ଅଲଗ ଅଲଗ

ନ ଲାଗିବ ଏକରେ ଆରେକର ଅଙ୍ଗ

ବଢ଼ି ତାଙ୍କ ଶରୀର ହେବ ସୁବିଶାଳ

ଉପରକୁ ଉଠିବେ ପ୍ରସାରି ଚୌଦିଗେ

ଶାଖା ଡାଳ ହେ ।।

 

ଆଗେ ଭୂମି ପ୍ରଶସ୍ତ ଗଭୀର ଖନନ

କରି କୁଟା ପତର କରିବ ଦହନ

ତହିଁ ରୋଗକୀଟାଣୁ ଲଭିବେ ମରଣ

ତାହା ପରେ କରିବ ପାଦପ ରୋପଣ

ଗାତେ ଥିଲେ ପକାଇ ଅସ୍ଥି କେତେ ଖଣ୍ଡ

ଫଳ ହୁଏ ମଧୁରତର ଯେହ୍ନେ ଖଣ୍ଡ

ଖତ ମାଟି ମିଶାଇ ଗାତେ ଦେଲେ ଭରି

ବୃକ୍ଷମାନେ ଉଠିବେ ଉଲ୍ଲାସେ

ପଲ୍ଲବମାନ ଧରି ହେ ।।

 

ନ ପାରିବେ ପଶୁଏ କରି ଅହଙ୍ଗାନି

କଣ୍ଟାବାଡ଼ ସେ ରୂପେ ଦେଇଥିବ ଜାଣି

ବୃକ୍ଷମାନେ କ୍ରମଶଃ ଉଠି ବିଷ୍ଣୁପଦେ

ଯଥାକାଳେ ସୁଫଳ ଦେବେ ନିରାପଦେ

ଫଳ ଭୋଗ କରିବ ନିଜେ ଆଜୀବନ

ପରେ ଭୋଗ କରିବେ ସପୁତ୍ର ପଉତ୍ର

ପରିଜନ ହେ ।।

 

ବୃଥା ଛାଡ଼ି ନ ଦେବ ତରୁ ଛାୟାତଳ

ତହିଁ ମଧ୍ୟ ହୁଅଇ ଉତ୍ତମ ଫସଲ

ମୃଗଫଳୀ ପାଳୁଅ ପିପ୍‌ପଳି ହଳଦୀ

ଛାୟାତଳେ ବଢ଼ନ୍ତି ପତ୍ରେ ପତ୍ର ଲଦି

ପୁଣି ଗୋଲମରିଚ ଲଭି ଛାୟା ତଳ

 

 

 

କରିଥାଏ ଜୀବନଧାରଣ ଉତ୍ତମ

ଦିଏ ଫଳ ହେ ।।

 

ବରଷାର ମଧ୍ୟେ ବା ଶିଶିର ଶେଷରେ

ରୋପିଥିବ ପାଦପମାନ ବିଶେଷରେ

ବରଷାରେ ଜଳଦ ଦେଇଥାଏ ନୀର

ବସନ୍ତରେ ମିଳଇ ରସ ଅବନୀର

ଜଳ ଦେଇ ଯତନ କରିବ ଗ୍ରୀଷମେ

ନିତି ନିତି ବିଲୋକି ସେନେହେ ପୋଷିବ

ଶିଶୁସମେ ହେ ।।

***

 

ଗୋ-ରକ୍ଷଣ

 

ଚଷା ଚାଷ କରଇ ଥାଏ ଯେବେ ହଳ

ହଳ ଏକା ଅଟଇ କୃଷକର ବଳ

ହଳ ଯା’ର ଗୃହରେ ଥାଏ ବଳବନ୍ତ

ଖେତ ତାର ସ୍ୱଭାବେ ତା ପାଇଁ ହୁଅଇ

ଫଳବନ୍ତ ହେ ।।

 

ପ୍ରଥମରେ କରିବ ଗାଈ ନିର୍ବାଚନ

ଗାଈ କରେ ବତ୍ସର ବଳ ନିଷ୍ପାଦନ

କ୍ଷୀଣଗ୍ରୀବା ପଶ୍ଚର୍ଦ୍ଧ ପୃଥୁଳ ଯାହାର

ଲୋଡ଼ୁଥିବ ସତତ ନିଜର ଆହାର

ଛୋଟ ଛୋଟ ଚରଣ ଶରୀର କୋମଳ

ପୁଚ୍ଛଗୁଚ୍ଛ ପୃଥୁଳ ଛୁଏଁ ମହୀତଳ

ଗତି ଯା’ର ମନ୍ଥର ସ୍ୱଭାବହିଁ ଶାନ୍ତ

ଦେଶୀ ଗାଈ ସେପରି ଦେଖିଲେ କିଣିବ

ନୋହି ଭ୍ରାନ୍ତ ହେ ।।

 

ଗାଈ ଅନୁରୂପରେ ଥିବ ତାର ବୃଷ

ବୃଷ ବଡ଼ ଯଦ୍ୟପି ଗାଈ ହେବ କୃଶ

ଯେତେବେଳେ ହେବ ତା’ ପ୍ରସବ ସମୟ

ବଡ଼ ବତ୍ସା ଦେବାକୁ ହେବ ତା’ ଯାତନା

ଅତିଶୟ ହେ ।।

 

ଦୁଗ୍‌ଧବତୀ ନ ସହେ ଆତପ ପବନ

ବରଷାରେ ତାହାର ହୁଅଇ କଷଣ

ବରଷାରେ ଖରାରେ ନ ଛାଡ଼ିବ ଗାଈ

ରଖିଥିବ ଯତନେ ଯହିଁ ଥିବ ଛାଇ

ରାତ୍ରେ ତାକୁ ରଖିବ ପରିଷ୍କୃତ ଘରେ

ତଡ଼ିଦେବ ମଶାଙ୍କୁ ଖରସି କୁହୁଳା

କରି ଖରେ ହେ ।।

 

ରାତ୍ର ତିନି ଘଡ଼ିରୁ ଚରାଇବ ଥରେ

ତିନି ଘଡ଼ି ଛାଡ଼ିବ ସେରୂପେ ଦିନରେ

କାଟି କାଟି ଅଥବା ବରକୋଳି ଦଳ

କପା ମଞ୍ଜି ସହିତ ଦେବ ତା’ କବଳ

ଯେତେ ଖାଦ୍ୟ ଖାଇବ ଚତୁର୍ଗୁଣ ଜଳ

ପିଇବାକୁ ପାଇଲେ ସେ ଗାଈ ଗୋରସ

ଦିଏ ଭଲ ହେ ।।

 

ଗୁଡ଼ ରବିଭୂସି ବା ପିଡ଼ିଆ ଲବଣ

ଖାଦ୍ୟ ଦେଇ ଗାଈକି କରିବ ଦୋହନ

ମୁଗ୍‌ଧ ହୋଇ ଭୋଜନେ ପ୍ରକାଶି ହରଷ

ଦୁଗ୍‌ଧବତୀ ଦିଅଇ ଅଧିକ ଗୋରସ

ଏକ ଲୋକ ଦୋହନ କଲେ ନିତି ନିତି

ଚିହ୍ନି ଦିଏ ଗୋରସ ଅଧିକ ମନରୁ

ତେଜି ଭୀତି ହେ ।।

 

ଜଡ଼ା ତେଲ ମର୍ଦ୍ଦନ କରିଦେବ ଥରେ

ଚିର ଛାଡ଼ି ପହ୍ନାରେ ଦୋହନ ଅନ୍ତରେ

ଦୋହୁଥିବ ଅଧିକ ଦୁଧ କରି ଶେଷ

ବତ୍ସ ପାଇଁ ମନରେ ନ ଚିନ୍ତିବ ଲେଶ !

ଛାଡ଼ିଦେବ ବତ୍ସକୁ ଦୋହନ ଅନ୍ତରେ

ପରିମାଣ ଦୁଗ୍‌ଧର ବାଛୁରୀ ପାନରେ

ବୃଦ୍ଧିକରେ ହେ ।।

 

ନ ରଖିବ ବଳଦ ଗାଈ ଏକ ଘରେ

ନ ଛାଡ଼ିବ ଚରିବା ପାଇଁ ତା’ ସଙ୍ଗରେ

ଖରା ଧାରା ବଳଦ ନିତି ସହି ସହି

ରହିଥିଲେ ପାରିବ ସିନା ବୋଝ ବହି

କରିଥିଲେ ଶ୍ରମକୁ ବଳଦ ଅଭ୍ୟାସ

ହେବ ସିନା କରମ ଦେବାକୁ ସକ୍ଷମ

ବାର ମାସ ହେ ।।

 

ଯେତେବେଳେ ଗାଈଟି ହେବ ଦୁଗ୍‌ଧହୀନ

ଖାଇବାକୁ ସ୍ୱତନ୍ତ୍ର ଦେବ ପ୍ରତିଦିନ

ଅର୍ଦ୍ଧସେର ପିଡ଼ିଆ ଅବା କପାମଞ୍ଜି

ଦୁଇ ସେର କୁଟା ବା ଭୂସି ଥିବ ଖଞ୍ଜି

ତାହା ଖାଇ ଗାଈଟି ହେଉଥିବ ସୁଖୀ

ଚିନ୍ତା କିଛି କରିବ ନାହିଁ ତା’ ଶରୀର

ଗଲେ ଶୁଖି ହେ ।।

 

ତିନି ଚାରି ଦିବସ ପ୍ରସବିବା ଆଗେ

ଖାଦ୍ୟ ଦେବ ଗାଈକି ଅତି ଅନୁରାଗେ

ଅଧା ସେର କରିକି ସିଦ୍ଧ ଯବଧାନ

ଗୁଡ଼ ତହିଁ ମିଶିବ ପାଏ ପରିମାଣ

ଫେଣୀ ଅବା ସୋରିଷ ତେଲ ଦଶ ତୋଳା

ପାଞ୍ଚ ତୋଳା ଲବଣ ସେସବୁ ସଙ୍ଗରେ

ହେବ ଗୋଳା ହେ ।।

 

ତହିଁ ହୁଏ ଗାଈଟି ଗୋରସଶାଳିନୀ

ଦେଉଥାଏ ଯେମନ୍ତ ତାହାଠାରୁ ଜିଣି

ପ୍ରସବର ଉତ୍ତାରେ ଚାରି ପାଞ୍ଚ ଦିନ

କରିଦେବ ଜଳୀୟ ଭୋଜନବିହୀନ

ତହିଁ ତାକୁ ଭୋଜନ ଦେବ ଯେଉଁ ମତ

ତଳେ ତାର ବର୍ଣ୍ଣନା କରୁଛି କରିବ

ହୃଦଗତ ହେ ।।

 

ଘାସ କୁଟା ମାତର ଦୁଇ ତିନି ବିଡ଼ା

ଅର୍ଦ୍ଧସେର ଗହମ ଭୂସି ତହିଁ ଭିଡ଼ା

ଗୁଡ଼ ଦେବ କୋଡ଼ିଏ ମେଥି ପାଞ୍ଚ ଭରି

ଦୁଇ ଦୁଇ ଛଟାଙ୍କି ତଇଳ ଅଦା ହିଁ

ଦେବ ଭରି ହେ ।।

 

ତହିଁ ପରେ ଚାଉଳ ଖୁଦ ଆଉ ବିରି

ଦୁଧ ଗୁଡ଼ ସହିତ କରିଦେବ ଖିରି

ପାଞ୍ଚ ସାତ ଦିବସ ଭୋଜନ କରାଇ

ଦେଲେ ଅତି ଉତ୍ତମ ଗୋରସ ନିଶ୍ଚୟ

ଦେବ ଗାଈ ହେ ।।

 

ତହିଁ ପରେ ପାଞ୍ଚ କି ସାତ ବିଡ଼ା ଘାସ

ବିରି ସେରେ ଅବଶ୍ୟ ଦେବ ତାକୁ ଗ୍ରାସ

ଅର୍ଦ୍ଧସେର ସରିକି ଚାଉଳର ଖୁଦ

ପାଏ ଗୁଡ଼ ସହିତ ଖାଇଲେ ବଢ଼ିବ

ତାର ମୁଦ ହେ ।।

 

ଏକୋଇଶ ଦିବସ ଶେଷ ଯାଏ ଗାଈ

କଦାପି ନ ଦୋହିବ ମାନବର ପାଇଁ

ପିଇଲାରୁ ବାଛୁରୀ ଯେତେ କ୍ଷୀର ହେବ

ଦୁହିଁ ଦୁହିଁ ଗାଈକି ଖାଇବାକୁ ଦେବ

ଗୁଡ଼ ବିରି ଚାଉଳ ଖୁଦକୁ ମିଶାଇ

ରାନ୍ଧିଦେଲେ କ୍ଷୀରକୁ ଆନନ୍ଦେ ସେ ଗାଈ

ଦେବ ଖାଇ ହେ ।।

 

ଗୋରୁ ଥିବ ଯେକାଳେ ଆସନ୍ନପ୍ରସବା

ଅଳ୍ପ ଦିନ ପ୍ରସୂତି ହୋଇଥିବ ଅବା

ନ କରିବ ତାହାକୁ ସ୍ଥାନରୁ ଅନ୍ତର

ବିଂଶ ଦିନ ବୟସ ନ ହେଲେ ବତ୍ସର

ଯଦି ରଖି ନ ପାର ଗାଈକି ସେ ଭାବେ

 

 

ନିଶ୍ଚେ ହେବ ନିରାଶ ତା’ଠାରୁ ପ୍ରଚୁର

କ୍ଷୀରଲାଭେ ହେ ।।

 

ମାସେ ଯାଏ ବାଛୁରୀ ଯେତେ କ୍ଷୀରପାନ

କରିପାରେ ତାହାକୁ କରୁଥିବ ଦାନ

ତିନି ମାସ ଖଣ୍ଡରେ ଫେଷିର ପିଡ଼ିଆ

ଷଡ଼ମାସ ପର୍ଯ୍ୟନ୍ତ ନ ଯିବ ପଡ଼ିଆ

ଖାଉଥିବ ଘାସହିଁ ଅଳ୍ପ ଅଳ୍ପ କରି

ତାହା ପରେ ବଢ଼ିବ ଗୋଚରେ ବିଚରି

ଚରି ଚରି ହେ ।।

 

ଯେତେବେଳେ ବଳଦ କରୁଥିବ ଶ୍ରମ

ଦେଉଥିବ ତାହାକୁ ଭୋଜନ ଉତ୍ତମ

ଭୁସା କୁଟା ପିଡ଼ିଆ କପାମଞ୍ଜି ଆଦି

ପେଟ ଭରି ଖାଇଲେ ହେବ ନାହିଁ ବ୍ୟାଧି

ଶ୍ରମ ବିନା ଯେ କାଳେ ରହିଥିବ ଖାଲି

ଘାସ ପତ୍ର ଖାଇବ କେବଳ ଗୋଚରେ

ବୁଲଚାଲି ହେ ।।

 

 

 

ହେବ ଯଦି ଗୋରୁର ଆହାର ବଦଳ

କ୍ରମେ କ୍ରମେ କଲେ ତା’ ହୋଇଥାଏ ଭଲ

ଏକା ଥରେ ଛାଡ଼ିଲେ ପୂର୍ବର ଆହାର

ରୋଗ ଆସି ଉପୁଜେ ଶରୀରେ ତାହାର

ଦେବ ତାକୁ ଉତ୍ତମ ପରିଷ୍କାର ପାଣି

ଚଟାଇବ ସୈନ୍ଧବ ଲବଣ ତେମନ୍ତ

ବେଳ ଜାଣି ହେ ।।

 

ଅତିଶୟ ଖରା କି ଅତି ଶୀତକାଳେ

ଯତନରେ ଗୋରୁଙ୍କୁ ରଖିବ ଗୋଶାଳେ

ସାତ ହାତ ଉନ୍ନତ ଥିବ ଗୋରୁଘର

ଏକ ଏକ ରହିବେ ଛ’ ହାତ ଅନ୍ତର

ଆଗ ପଛ ଓସାର ସାଢ଼େ ତିନି ହାତ

ନ ବାଜିବ ତପତ ଅବା ଶୀତ ବାତ

ମଳ ମୂତ୍ର ପ୍ରତ୍ୟହ ଦେଉଥିବ ଧୋଇ

ଖତ ପାଇଁ ତାହାକୁ ଅନ୍ତରେ ଗର୍ତ୍ତରେ

ଦେବ ଥୋଇ ହେ ।।

 

ମହିଷୀଙ୍କି ରଖିବ ଗାଈଙ୍କ ବିଧାନେ

ଜୀବନରେ ଭିନ୍ନ ତ ନୁହନ୍ତି ସେମାନେ

ଗୋରସ ତ ତାହାଙ୍କ ନୁହେ ଅପାନୀୟ

ମହିଷ ବି ସର୍ବଦା ବଳଦ ସ୍ଥାନୀୟ

ଅଧିକନ୍ତୁ ମହିଷମାନେ ବଳବାନ

ତାଙ୍କ ପାଇଁ ଅଧିକ ଥିବ ସାବଧାନ

ଘାସପତ୍ର କରନ୍ତି ଅଧିକ ଭୋଜନ

ନ ପାରେ ଯା’ ବଳଦ ତହିଁକି ମହିଷ

ପ୍ରୟୋଜନ ହେ ।।

 

ଉଦ୍ଭିଦ ରୋଗର ପ୍ରତିକାର

ପୋକ ନାନାପ୍ରକାର ଛନ୍ତି ମହୀତଳେ

ଧାନ ଆଦି ଗଛକୁ ଖାଆନ୍ତି ସକଳେ

କରିଦେଲେ ଭୂମିକି ବାରମ୍ବାର ଚାଷ

ଦଳ ଦଳ ବିହଙ୍ଗ ଭୁଞ୍ଜି ତା’ ଦିଅନ୍ତି

କରି ନାଶ ହେ ।।

 

ପଶି ପଶି ଭୂମିରେ ତପନ କିରଣ

ନୀରସତା ଭୂମିର କରଇ ହରଣ

ଘାସ ତୃଣ ଉପୁଡ଼ି ପାଲଟନ୍ତି ଖତ

ଭୂମି ହୋଇ ଉଶ୍ୱାସ ଶସ୍ୟକୁ କରଇ

ଫଳବନ୍ତ ହେ ।।

 

 

 

ଦଳ ଦଳ ପତଙ୍ଗ କ୍ଷେତ୍ରରେ ବିଚରି

ଗଛ ପତ୍ର ଫଳକୁ ଦେଇଥାନ୍ତି ଚରି

ସ୍ଥାନେ ସ୍ଥାନେ ଖେତର ସନ୍ଧ୍ୟାରେ ଅନଳ

ଜାଳିଦେଲେ ମରନ୍ତି ଯହିଁରେ ଝସାଇ

ଅନର୍ଗଳ ହେ ।।

 

କାଉଁରିଆ ଶୋଲକୁ ସନ୍ଧ୍ୟା ପରେ ଜାଳି

କପା ଆଦି ଗଛର ମଧ୍ୟେ ଗଲେ ଚାଳି

କରୁଥିଲେ ଗଛକୁ ଅନଳ ସ୍ପରଶ

ହୋଇଯିବ ଅନଳ ତାପରେ ସବଂଶେ

କୀଟ ଧ୍ୱଂସ ହେ ।।

***